ମନ୍ତେଇ ନଈରେ ମାତିଛି କୁମ୍ଭୀର !

ମୋବାଇଲରେ କଏଦ ହେଇଛି କୁମ୍ଭୀର ବୁଲିବା ଦ୍ରୁଶ୍ଯ

ଗାଁ ପାଖ ନଦୀରେ କୁମ୍ଭୀର ଆତଙ୍କ । ପାଣି ଭିତରେ ଛପି ରହୁଛି କୁମ୍ଭୀର । ଆଉ ଟିକେ ସୁଯୋଗ ପାଇବା ମାତ୍ରେ ଟାଣି ନେଉଛି । ଚାଲି ଯାଉଛି ନିରୀହ ଜୀବନ । କେତେବେଳେ ଗାଈ ମଇଁଷି ତ ଆଉ କେତେବେଳେ ମଣିଷ । ଏପରି ଘଟଣା ଏବେ ଲୋକଙ୍କୁ ଆତଙ୍କିତ କରିଛି । ଦୁଇ ଦିନ ତଳେ ଯାଜପୁର ବରୀ ଅଞ୍ଚଳରେ ଜଣେ ମହିଳାଙ୍କୁ ମାରି ଖାଉଥିବାର ଭିଡ଼ିଓ ଦେଖିବାକୁ ମିଳିଥିବାବେଳେ ଏବେ ପୁଣି ମନ୍ତେଇ ନଇରେ ମାତିଛି କୁମ୍ଭୀର । ଭଦ୍ରକ ବାସୁଦେବପୁର ଅଞ୍ଚଳରେ ପ୍ରବାହିତ ମନ୍ତେଈ ନଈରେ ଏବେ କୁମ୍ଭୀର ଆତଙ୍କ। ବାଲିଆପାଳ ଘାଟଠାରୁ ୨କିଲୋମିଟର ଦୂର କାଳଗଦି ଗାଁ ପାଖ ମନ୍ତେଇ ନଈରେ ଏକ ବଡ କୁମ୍ଭୀର ଭାସୁଥିବାର ଦେଖି ଲୋକମାନେ ଭୟଭୀତ ହୋଇ ପଡିଛନ୍ତି।

ନଦୀରେ କୁମ୍ଭୀର ବୁଲୁଥିବା ନେଇ ମୋବାଇଲ ମାଧ୍ୟମରେ ଭିଡିଓ ଉତ୍ତୋଳନ କରି କରଞ୍ଜିଆ ସରପଞ୍ଚଙ୍କୁ ଅବଗତ କରିଛନ୍ତି ଗ୍ରାମବାସୀ। କୁମ୍ଭୀରଟିର ଲମ୍ବ ୨୦ଫୁଟ ହେବ ବୋଲି ଅନୁମାନ କରାଯାଉଛି। କୁମ୍ଭୀର ଦେଖିବା ପରେ ପାଖରେ ଥିବା ଚିଙ୍ଗୁଡି ଘେରି ସମେତ ସ୍ଥାନୀୟ ଗ୍ରାମବାସୀ ଭୟଭୀତ ହୋଇପଡ଼ିଛନ୍ତି। । ବନବିଭାଗ ପକ୍ଷରୁ ମନ୍ତେଈ ନଈ ପାର୍ଶ୍ୱରେ ସୁରକ୍ଷା ବାଡ କରିବାକୁ ସ୍ଥାନୀୟ ଲୋକ ଦାବି କରିଛନ୍ତି। କିଛି ଦିନ ତଳେ ଏହି ମନ୍ତେଇ ନଈର ଛତ୍ରପଦ ନିକଟରେ ଏକ ଗାଈକୁ କୁମ୍ଭୀର ଟାଣିନେଇ ମାରି ଦେଇଥିଲା । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟାର ବାତାବରଣ ଦେଖିବାକୁ ମିଳିଛି । ଶୀଘ୍ର ବନବିଭାଗ ଏହାର ବିହିତ ପଦକ୍ଷେପ ନେବାକୁ ଗ୍ରାମବାସୀ ଅଭିଯୋଗ କରିଛନ୍ତି ।