ଜମ୍ମୁ-କାଶ୍ମୀରରେ ପର୍ଯ୍ୟଟକଙ୍କ ଉପରେ ଆତଙ୍କୀ ଆକ୍ରମଣ

ଧର୍ମ ପଚାରି ଗୁଳିକଲେ ଆତଙ୍କବାଦୀ, ୨୬ ମୃତ

ଜମ୍ମୁ-କାଶ୍ମୀରରେ ପର୍ଯ୍ୟଟକଙ୍କ ଉପରେ ଆତଙ୍କୀ ଆକ୍ରମଣ। ଧର୍ମ ପଚାରି ଗୁଳିକଲେ, ୨୬ ମୃତ। ପହଲଗାମ୍‌ରେ ଆତଙ୍କବାଦୀମାନେ ପର୍ଯ୍ୟଟକଙ୍କୁ ଟାର୍ଗେଟ୍‌ କରି ଗୁଳିବର୍ଷା କରିବାରୁ ୨୬ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ୧୨ ଜଣ ଆହତ ହୋଇଛନ୍ତି। ଗୁଳିମାଡ଼ରେ ଆହତ ଅନେକ ପର୍ଯ୍ୟଟକଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ମୃତକଙ୍କ ମଧ୍ୟରେ ୨ ଜଣ ବିଦେଶୀ ପର୍ଯ୍ୟଟକ ଏବଂ ୩ ଜଣ ସ୍ଥାନୀୟ ବାସିନ୍ଦା ଅଛନ୍ତି। ସୁରକ୍ଷା ବାହିନୀ ଉଦ୍ଧାର ଅଭିଯାନ ଜାରି ରଖିଛି। ପହଲଗାମର ବୈସରନ ଉପତ୍ୟକାରେ ଥିବା ଏକ ପର୍ଯ୍ୟଟନ ସ୍ଥଳୀରେ ଆତଙ୍କବାଦୀମାନେ ଅଚାନକ ପର୍ଯ୍ୟଟକଙ୍କ ଉପରେ ଗୁଳିମାଡ଼ କରିଥିଲେ। ଏହା ଏକ ଟାର୍ଗେଟ୍ ଷ୍ଟ୍ରାଇକ୍ ଥିଲା; ଯେଉଁଥିରେ କିଛି ଆତଙ୍କବାଦୀ ଛଦ୍ମବେଶରେ ଥିଲେ ବୋଲି ଅନୁମାନ କରାଯାଉଛି। ଅପରାହ୍ନ ସାଢ଼େ ଦୁଇଟା ବେଳେ ପ୍ରଥମେ ସେମାନେ ଏକ ଉଚ୍ଚସ୍ଥାନରୁ ଲୋକଙ୍କୁ ଗୁଳି ମାରିଥିଲେ। କେତେକ ପର୍ଯ୍ୟଟକ ଘୋଡ଼ାରେ ବୁଲୁଥିବା ବେଳେ ଆତଙ୍କବାଦୀମାନେ ସେମାନଙ୍କୁ ଘେରିଯାଇ ଗୁଳିମାଡ଼ କରିଥିଲେ। ଗୁଇନ୍ଦା ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ଆକ୍ରମଣରେ ଟିଆର୍‌ଏଫ୍‌ ଆତଙ୍କବାଦୀ ତନଜିମ୍‌ର ସମ୍ପୃକ୍ତି ରହିଛି। ୨ରୁ ୩ ଜଣ ଆକ୍ରମଣକାରୀ ପୁଲିସ/ସେନା ପୋଷାକ ପିନ୍ଧିଥିଲେ ଏବଂ ଆଉ ଦୁଇ ଜଣ ସ୍ଥାନୀୟ ପରିଧାନରେ ଥିଲେ। କେତେକ ପର୍ଯ୍ୟଟକଙ୍କୁ ଆତଙ୍କବାଦୀମାନେ ‘ତୁମେ ହିନ୍ଦୁ ନା ମୁସଲ୍‌ମାନ’ ବୋଲି ପଚାରିବା ସହ ପରିଚୟପତ୍ର ଯାଞ୍ଚ କରିଥିଲେ।

ହିନ୍ଦୁ ବୋଲି ଜାଣିବା ମାତ୍ରେ ଗୁଳି କରିଥିବା ସଂପର୍କୀୟମାନେ କହିଛନ୍ତି। ଏହି ଆକ୍ରମଣ ପରେ ସୁରକ୍ଷାବାହିନୀ ଉକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ୍‌ ଜୋର୍‌ଦାର କରିବା ସହ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଛନ୍ତି। ଘଟଣାସ୍ଥଳକୁ ସିଆର୍‌ପିଏଫ୍‌ର ଅତିରିକ୍ତ କ୍ୱିକ୍ ରିଆକ୍ସନ ଟିମ୍ (କ୍ୟୁଆର୍‌ଟି) ପଠାଯାଇଛି। ସୁରକ୍ଷା କର୍ମୀ ସେଠାରେ ବିଶାଳ ସର୍ଚ୍ଚ ଅପରେସନ୍ ଚଳାଇଛନ୍ତି। ସେପଟେ ଏହି ଆକ୍ରମଣ ପାଇଁ ଟିଆର୍‌ଏଫ୍‌ (ଦ ରେଜିଷ୍ଟାନ୍ସ ଫୋର୍ସ) ନିଜକୁ ଦାୟୀ କରିଛି। ଏହା ଲସ୍କର-ଏ-ତୋଏବା ସହ ଜଡ଼ିତ ଏକ ଆତଙ୍କବାଦୀ ସଂଗଠନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଘୃଣ୍ୟ ଆକ୍ରମଣ ଘଟଣାକୁ କଡ଼ା ନିନ୍ଦା କରିବା ସହ ମୃତାହତଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି। ଆତଙ୍କବାଦୀଙ୍କୁ ନିପାତ ପାଇଁ ଆମର ପ୍ରତିବଦ୍ଧତା ଅତୁଟ ଏବଂ ସେମାନଙ୍କଏଜେଣ୍ଡା କଦାପି ସଫଳ ହେବନାହିଁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି, ଯେଉଁମାନେ ଏହି ଘୃଣ୍ୟ ଆତଙ୍କୀ କାର୍ଯ୍ୟରେ ସମ୍ପୃକ୍ତ ଅଛନ୍ତି ସେମାନଙ୍କୁ ଛଡ଼ାଯିବ ନାହିଁ ଏବଂ ଆକ୍ରମଣକାରୀମାନେ ଏହାର କଠୋରତମ ପରିଣାମ ଭୋଗିବେ। ଶାହ ଘଟଣା ସଂପର୍କରେ ସାଉଦି ଆରବ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀଙ୍କୁ ବିସ୍ତୃତ ଭାବେ ଅବଗତ କରାଇବା ସହ ଭିଡିଓ କନଫରେନ୍ସିଂ ଜରିଆରେ ସୁରକ୍ଷା ଅଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି। ଶାହ ଆଜି ରାତିରେ ଶ୍ରୀନଗର ପହଞ୍ଚି ଶୀର୍ଷ ସୁରକ୍ଷା ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ଏହି ଆକ୍ରମଣ ଘଟଣାର ତଦନ୍ତ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ) କରିବ ବୋଲି ଜଣାପଡ଼ିଛି।