ବଢ଼ିଲା ୩ ବିଶ୍ୱବିଦ୍ୟାଳୟର କୁଳପତିଙ୍କ କାର୍ଯ୍ୟକାଳ
ରାଜ୍ୟର ୩ ପ୍ରମୁଖ ବିଶ୍ୱବିଦ୍ୟାଳୟର କୁଳପତିଙ୍କ କାର୍ଯ୍ୟକାଳକୁ ରାଜ୍ୟପାଳ ଆଉ ୬ମାସ ବୃଦ୍ଧି । ତିନି ଜଣଙ୍କ କାର୍ଯ୍ୟକାଳ ଏହି ମାସରେ ଶେଷ ହୋଇଥାନ୍ତା । ଉତ୍କଳ ବିଶ୍ୱବିଦ୍ୟାଳୟ, ରମାଦେବୀ ବିଶ୍ୱବିଦ୍ୟାଳୟ ଓ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟରେ ନୂଆ କୁଳପତିଙ୍କ ନିଯୁକ୍ତିରେ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ବିଳମ୍ବ କରୁଥିବାକୁ ନେଇ ରାଜଭବନ ଗତ ସପ୍ତାହରେ ଅସନ୍ତୋଷ ବ୍ୟକ୍ତ କରିଥିଲେ । ଏହି ୩ ବିଶ୍ୱବିଦ୍ୟାଳୟରେ ନୂଆ କୁଳପତି ଚୟନ ନିମନ୍ତେ ଏପର୍ଯ୍ୟନ୍ତ ଉଚ୍ଚଶିକ୍ଷା ବିଭାଗ ବିଜ୍ଞାପନ ଜାରି କରିନଥିବାରୁ ରାଜ୍ୟପାଳ ଆଜି ସମ୍ପୃକ୍ତ କୁଳପତିମାନଙ୍କ କାର୍ଯ୍ୟକାଳକୁ ଆଉ ୬ମାସ ବୃଦ୍ଧି କରିଛନ୍ତି । ରାଜଭବନ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ଉତ୍କଳ ବିଶ୍ୱବିଦ୍ୟାଳୟ, ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ଓ ରମାଦେବୀ ବିଶ୍ୱବିଦ୍ୟାଳୟର କୁଳପତିମାନଙ୍କ କାର୍ଯ୍ୟକାଳକୁ ରାଜ୍ୟପାଳ ବୃଦ୍ଧି କରିଛନ୍ତି । ଏହି ୩ ବିଶ୍ୱବିଦ୍ୟାଳୟର କୁଳପତିଙ୍କ କାର୍ଯ୍ୟକାଳ ସରିବା ଦିନଠୁ ୬ମାସ ପର୍ଯ୍ୟନ୍ତ ଅବା ନୂଆ କୁଳପତି ଯୋଗଦେବା ପର୍ଯ୍ୟନ୍ତ (ଯାହା ପ୍ରଥମେ ଆସିବ) ବୃଦ୍ଧି କରାଗଲା । ତେବେ ଏହି ସମ୍ପ୍ରସାରିତ କାର୍ଯ୍ୟକାଳ ମଧ୍ୟରେ ସମ୍ପୃକ୍ତ କୁଳପତିମାନେ କୁଳାଧିପତିଙ୍କ ବିନା ଅନୁମତିରେ କୌଣସି ନୀତିଗତ ନିଷ୍ପତ୍ତି ନେଇପାରିବେ ନାହିଁ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ ରହିଛି ।
ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟଙ୍କର ନଭେମ୍ବର ୨୩, ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ନାଗରାଜୁଙ୍କର ନଭେମ୍ବର ୨୬ ଓ ରମାଦେବୀ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଅପରାଜିତା ଚୌଧୁରୀଙ୍କ କାର୍ଯ୍ୟକାଳ ନଭେମ୍ବର ୨୫ତାରିଖରେ ଶେଷ ହେଉଛି । ତେବେ ଫକୀରମୋହନ ବିଶ୍ୱବିଦ୍ୟାଳୟ ଓ ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟର କୁଳପତିଙ୍କ କାର୍ଯ୍ୟକାଳ ଚଳିତମାସରେ ଶେଷ ହେଉଥିଲେ ମଧ୍ୟ ସେମାନଙ୍କ କାର୍ଯ୍ୟକାଳ ବୃଦ୍ଧି ହୋଇନାହିଁ ।ସୂଚନାଯୋଗ୍ୟ, ଗତ ନଭେମ୍ବର ୮ତାରିଖରେ ରାଜ୍ୟପାଳଙ୍କ ପ୍ରମୁଖ ସଚିବ ଏନବିଏସ ରାଜପୁତ ରାଜ୍ୟ ଉଚ୍ଚଶିକ୍ଷା ସଚିବଙ୍କୁ ଚିଠି ଲେଖି କୁଳପତି ଚୟନ ପ୍ରକ୍ରିୟା ତ୍ୱରାନ୍ୱିତ କରିବାକୁ କହିଥିଲେ । ଏହା ସହିତ ଚୟନ ପ୍ରକ୍ରିୟା ବିଳମ୍ବକୁ ନେଇ ସେ ଅସନ୍ତୋଷ ବ୍ୟକ୍ତ କରିଥିଲେ ।