ଚଳିତ ବର୍ଷ ପ୍ରଥମ ଥର ପାଇଁ ୨ ଡ଼ିଗ୍ରୀ ଛୁଇଁଲା ପାରଦ
ପୁଣି ଥରାଇବ ଶୀତ । ଆହୁରି ସପ୍ତାହ ଶୀତ ଲହରୀ ଜାରି ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଏତିକିରେ ଅସମ୍ଭାଳ ହେଲାଣି ଶୀତ । ଆଗକୁ ଆହୁରି ମାଘ ମାସ । ଏଥର ମାଘ ମାସରେ ବାଘ ଭଳି ହେବ ଶୀତ । ଏବେ ହାଡ଼ଭଙ୍ଗା ଜାଡ଼ରେ ଥରୁଛି ଓଡ଼ିଶା । ଚଳିତ ବର୍ଷ ପ୍ରଥମ ଥର ପାଇଁ ୨ ଡ଼ିଗ୍ରୀ ଛୁଇଁଲା ପାରଦ । ଜି.ଉଦୟଗିରିରେ ସର୍ବନିମ୍ନ ରାତ୍ରି ତାପମାତ୍ରା ୨.୫ ଡ଼ିଗ୍ରୀ ରେକର୍ଡ କରାଯାଇଛି। ସେହିପରି ସେମିଳିଗୁଡାରେ ସର୍ବନିମ୍ନ ମାତ୍ର ୩.୨ ଡ଼ିଗ୍ରୀ ରହିଛି। ରାଜଧାନୀ ତାପମାତ୍ର ୯.୪ ଡିଗ୍ରୀ ରହିଛି । ୨୦୧୩ ପରଠାରୁ ରାଜଧାନୀର ସବୁଠୁରା ଥଣ୍ଡା ଜାନୁଆରୀ ମାସ ହୋଇଛି ।ଏହାସହ ୧୯୫୨ ପରଠାରୁ ଚଳିତ ଜାନୁଆରୀ ମାସରେ ରାଜଧାନୀରେ ତୃତୀୟ ସର୍ବନିମ୍ନ ତାପମାତ୍ରା ରେକର୍ଡ କରାଯାଇଛି । ୧୯୯୨ର ୫ ଜାନୁଆରୀରେ ୮.୬, ୨୦୦୩ ଜାନୁଆରୀ ୧୭ ତାରିଖରେ ୯ ଡିଗ୍ରୀ, ୨୦୧୨ ଜାନୁଆରୀ ୧୫ରେ ୯.୩ ଡିଗ୍ରୀ ଏବଂ ୧୯୫୨ ଜାନୁଆରୀରେ ୯.୪ ଡିଗ୍ରୀ ରେକର୍ଡ କରାଯାଇଥିଲା ।
