ପୁଅକୁ ପାର୍ଟିରୁ ବହିଷ୍କାର କଲେ ଲାଲୁ ଯାଦବ

ତେଜ ପ୍ରତାପ ଯାଦବ ୬ ବର୍ଷ ପାଇଁ ଆରଜେଡିରୁ ବହିଷ୍କାର

ପୁଅକୁ ପାର୍ଟିରୁ ବହିଷ୍କାର କଲେ ଲାଲୁ ଯାଦବ, ବିଶୃଙ୍ଖଳିତ ଆଚରଣ ପାଇଁ ୬ ବର୍ଷ ବିଦା। ଲାଲୁ ଯାଦବ ବଡ଼ ପୁଅ ତେଜ ପ୍ରତାପ ଯାଦବଙ୍କୁ ୬ ବର୍ଷ ପାଇଁ ଦଳରୁ ବହିଷ୍କାର କରିଛନ୍ତି । ଲାଲୁ ତେଜ ପ୍ରତାପଙ୍କୁ ପରିବାରରୁ ମଧ୍ୟ ବହିଷ୍କାର କରିଛନ୍ତି । ଆରଜେଡି ମୁଖ୍ୟ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ସ୍ପଷ୍ଟ ସୂଚନା ଦେଇଛନ୍ତି । ଲାଲୁ ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି, ଏବେ ତେଜ ପ୍ରତାପଙ୍କର ପରିବାର ଏବଂ ଦଳରେ କୌଣସି ଭୂମିକା ନାହିଁ । ବ୍ୟକ୍ତିଗତ ଜୀବନରେ ନୈତିକ ମୂଲ୍ୟବୋଧକୁ ଅଣଦେଖା କରିବା ସାମାଜିକ ନ୍ୟାୟ ପାଇଁ ଆମର ସାମୂହିକ ସଂଘର୍ଷକୁ ଦୁର୍ବଳ କରିଥାଏ । ବଡ଼ ପୁଅର କାର୍ଯ୍ୟକଳାପ, ସାର୍ବଜନୀନ ଆଚରଣ ଏବଂ ଦାୟିତ୍ୱହୀନ ଆଚରଣ ଆମ ପାରିବାରିକ ମୂଲ୍ୟବୋଧ ଏବଂ ପରମ୍ପରା ଅନୁଯାୟୀ ନୁହେଁ ।

ତେଣୁ ମୁଁ ତାଙ୍କୁ ଦଳ ଏବଂ ପରିବାରଠାରୁ ଦୂରେଇ ରଖୁଛି । ଏବେଠାରୁ ତାଙ୍କର ଦଳ ଏବଂ ପରିବାରରେ କୌଣସି ପ୍ରକାରର ଭୂମିକା ରହିବ ନାହିଁ । ତାଙ୍କୁ ଦଳରୁ ୬ ବର୍ଷ ପାଇଁ ବହିଷ୍କାର କରାଯାଇଛି ।ସୂଚନାଯୋଗ୍ୟ, ତେଜ ପ୍ରତାପ ଗତକାଲି ପ୍ରେମିକା ଅନୁଷ୍କା ଯାଦବଙ୍କ ସହ ପ୍ରେମ ସମ୍ପର୍କ ଘୋଷଣା କରିଥିଲେ । ତେଜ ପ୍ରତାପ ପ୍ରେମିକା ଅନୁଷ୍କା ଯାଦବଙ୍କ ସହ ଏକ ଫଟୋ ସେୟାର କରି କହିଛନ୍ତି ଯେ, ସେ ଗତ ୧୨ ବର୍ଷ ଧରି ଅନୁଷ୍କାଙ୍କ ସହ ସମ୍ପର୍କରେ ଅଛନ୍ତି । ତେବେ ଲାଲୁ ପୁଅ ତେଜ ପ୍ରତାପଙ୍କ ଏଭଳି କାମରେ ଅସନ୍ତୁଷ୍ଟ ରହି ଏମିତି ପଦକ୍ଷେପ ନେଇଛନ୍ତି ।