ପ୍ରଧାନମନ୍ତ୍ରୀଙ୍କ ବିମାନରେ ତ୍ରୁଟି
ଆଜି ଝାଡ଼ଖଣ୍ଡ ଗସ୍ତରେ ଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ ମୋଦୀଙ୍କ କାର୍ଯ୍ୟକ୍ରମ ପରେ ସେ ଦେଓଘରରୁ ଦିଲ୍ଲୀ ଆସିବାର ଥିଲା । କିନ୍ତୁ ପ୍ରଧାନମନ୍ତ୍ରୀଙ୍କ ବିମାନରେ ବୈଷୟିକ ତ୍ରୁଟି କାରଣରୁ ଏହି ବିମାନଟି ଦେଓଘର ବିମାନ ବନ୍ଦରରେ କିଛି ସମୟ ଅଟକି ରହିଥିଲା । ଯାହାଫଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀ ଫେରିବାରେ ସାମାନ୍ୟ ବିଳମ୍ବ ହୋଇଥିଲା । ସୂଚନା ଅନୁସାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନିର୍ବାଚନ ପ୍ରଚାର ପାଇଁ ଝାଡ଼ଖଣ୍ଡ ଗସ୍ତରେ ଥିଲେ । ଆଦିବାସୀ ନେତା ବିର୍ସା ମୁଣ୍ଡାଙ୍କ ଜୟନ୍ତୀରେ ଆୟୋଜିତ ଜନଜାତି ଗୌରବ ଦିବସ ଉପଲକ୍ଷେ ସେ ୨ଟି ଜନସଭାରେ ଯୋଗ ଦେଇଥିଲେ । ଏହି ଦୁଇଟି କାର୍ଯ୍ୟକ୍ରମ ସାରି ପ୍ରଧାନମନ୍ତ୍ରୀ ନୂଆଦିଲ୍ଲୀ ଫେରିବାର କାର୍ଯ୍ୟକ୍ରମ ଥିଲା । କିନ୍ତୁ ଏୟାରପୋର୍ଟ ଯିବାବେଳେ ତାଙ୍କ ବିମାନରେ ଯାନ୍ତ୍ରିକ ତ୍ରୁଟି ଥିବା ଜଣାପଡ଼ିଥିଲା । ବିମାନରେ ଯାନ୍ତ୍ରିକ ତ୍ରୁଟି ଜଣାପଡ଼ିବା ପରେ ବୈଷୟିକ ଟିମ୍ ବିମାନର ତ୍ରୁଟି ସଜାଡ଼ିବାକୁ ଲାଗିଥିଲେ। ଦେଓଘର ପୂର୍ବରୁ ପିଏମ ମୋଦୀ ବିହାରର ଜମୁଇରେ ପହଞ୍ଚିଥିଲେ । ସେଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୂର୍ବ କଂଗ୍ରେସ ନେତୃତ୍ୱାଧୀନ ସରକାରଙ୍କୁ ଭାରତର ସ୍ୱାଧୀନତା ଆନ୍ଦୋଳନରେ ଆଦିବାସୀ ସମ୍ପ୍ରଦାୟର ଅବଦାନକୁ ସ୍ୱୀକୃତି ଦେଇ ନ ଥିବାରୁ ସମାଲୋଚନା କରିଥିଲେ ।