ଏବେ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ନବୀନ: ଟଙ୍କଧର ତ୍ରିପାଠୀ
ମିଶନ ଶକ୍ତି ମହିଳାଙ୍କ ବକେୟା ଦରମାକୁ ନେଇ ବିଧାନସଭାରେ ମୁହାଁମୁହିଁ ହୋଇଛନ୍ତି ଶାସକ ଓ ବିରୋଧୀ। ବିରୋଧୀ ବିଜେଡି ସହ ସ୍ୱର ମିଳାଇ କଂଗ୍ରେସ ଆଜି ଗୃହରେ ମିଶନ ଶକ୍ତି ମହିଳାଙ୍କ ବକେୟା ଦରମା ପ୍ରସଙ୍ଗରେ ଆଲୋଚନା ଦାବି କରି ହଟ୍ଟଗୋଳ କରିବାରୁ ପ୍ରଥମାର୍ଦ୍ଧରେ ଗୃହ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ମିଶନ ଶକ୍ତି ମହିଳାଙ୍କ ବକେୟା ଦରମାକୁ ନେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ମୁହଁ ଖୋଲିବା ସହ ବିଜେପିକୁ କରିଛନ୍ତି ଟାର୍ଗେଟ। ଏହାର ଦୃଢ଼ ଜବାବ ରଖିଛି ବିଜେପି।ନବୀନ କହିଛନ୍ତି, ବିଜେପି ସରକାର ମିଶନ ଶକ୍ତି ମହିଳାଙ୍କ ଦରମା ରୋକିବାକୁ ଷଡ଼ଯନ୍ତ୍ର କରୁଛି। ଏହାକୁ ବିଜେଡି ଦୃଢ ନିନ୍ଦା କରୁଛି । ୭୦ ଲକ୍ଷରୁ ଅଧିକ ମହିଳା ମିଶନ ଶକ୍ତିରେ କାମ କରୁଛନ୍ତି। ଏ ସରକାର କାହିଁକି ସେମାନଙ୍କୁ ଦରମା ଦେଇନି? ବିଜେଡି ସବୁବେଳେ ମିଶନ ଶକ୍ତି ସହ ରହିଛି ବୋଲି ସେ କହିଛନ୍ତି।
ଅନ୍ୟପକ୍ଷରେ ନବୀନଙ୍କ ପ୍ରଶ୍ନର ଦୃଢ଼ ଜବାବ ରଖିଛି ବିଜେପି। ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ କହିଛନ୍ତି,ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜଣେ ଛଦ୍ମବେଶୀ। ଅସତ୍ୟ କହିବାରେ ପରାକାଷ୍ଠା ଦେଖାଇଛନ୍ତି ନବୀନ। ସରକାରରେ ଥିବା ବେଳେ ଯେମିତି ଥିଲେ, ଏବେ ବି ସେମିତି ଅଛନ୍ତି। ମହିଳା ମାନଙ୍କ ସହ ଥିଲୁ ଓ ମହିଳା ମାନଙ୍କ ସହ ଅଛୁ ବୋଲି ନବୀନ ବାବୁ କହୁଛନ୍ତି। ହେଲେ ନବୀନ ବାବୁ ଉତ୍ତର ଦେବେ କି ମମିତା, ବେବିନା, କୁନ୍ଦୁଲି ପୀଡ଼ିତା ମାନେ ଝିଅ ଥିଲେ କି ନାହିଁ? ସେମାନଙ୍କ ସହ ଥିଲେ କି ନାହିଁ ନବୀନ ବାବୁ?