ଡି ଗୁକେଶ କାହାର, ଆନ୍ଧ୍ରପ୍ରଦେଶର ନା ତାମିଲନାଡୁର
ବିଶ୍ୱର ସର୍ବକନିଷ୍ଠ ଚେସ୍ ଚାମ୍ପିୟନ୍ ଡି ଗୁକେଶ କାହାର। ଆନ୍ଧ୍ରପ୍ରଦେଶର ନା ତାମିଲନାଡୁର। ଗୁକେଶ ଦେଶକୁ ଗୌରବାନ୍ୱିତ କରିବା ପରେ ଦୁଇ ରାଜ୍ୟ ମଧ୍ୟରେ ଚାଲିଛି ଶ୍ରେୟ ନେବାର ଲଢେଇ । ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ଗୁକେଶଙ୍କ ସଫଳତାରେ ଆନନ୍ଦିତ ହୋଇ ତାଙ୍କ ଏକ୍ସ ହ୍ୟାଣ୍ଡଲରେ ଲେଖିଛନ୍ତି, ‘ଉଲ୍ଲେଖନୀୟ ସଫଳତା… ଆଉ ଜଣେ ଚାମ୍ପିୟନଙ୍କୁ ଦେଇ ପୁଣିଥରେ ବିଶ୍ୱର ଚେସ୍ କ୍ୟାପିଟାଲ ଚେନ୍ନାଇ ନିଜର ସ୍ଥାନକୁ ଦୃଢୀଭୂତ କଲା । ଚେନ୍ନାଇ ତୁମ ପାଇଁ ଗର୍ବିତ’ । ଏହା ଲେଖି ସେ ତାଙ୍କର ଏକ ଫଟୋ ଶେୟାର କରିଛନ୍ତି ଯେଉଁଥିରେ ନିଜେ ଷ୍ଟାଲିନ ଗୁକେଶଙ୍କ ବେକରେ ଏକ ଗୋଲ୍ଡ ମେଡାଲ୍ ପକାଉଛନ୍ତି । ଗୁରୁବାର ସନ୍ଧ୍ୟା ୭.୫୨ରେ ଏହା ପୋଷ୍ଟ କରିଥିଲେ ଷ୍ଟାଲିନ୍ । ଏହି ପୋଷ୍ଟ ହେବାର ଠିକ୍ ଦୁଇ ମିନିଟ ପରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍ ଚନ୍ଦ୍ରବାବୁ ନାଇଡୁ ଟ୍ୱିଟ କରିଥିଲେ । ଏଥିରେ ଲେଖାଥିଲା, ‘ଆମ ନିଜ ତେଲୁଗୁ ପିଲାକୁ ଆନ୍ତରିକ ଶୁଭେଚ୍ଛା… । ସାରା ଦେଶ ତୁମର ଏହି ବିଶେଷ ସଫଳତାକୁ ପାଳନ କରୁଛି । ଆଗାମୀ ଦଶନ୍ଧିରେ ତୁମେ ଆହୁରି ବେଶୀ ସଫଳତା ପାଅ ବୋଲି ମୁଁ କାମନା କରୁଛି । ସିଙ୍ଗାପୁରରେ ଇତିହାସ ରଚିଥିବାରୁ ଅଭିନନ୍ଦନ’ । ଏହି ପୋଷ୍ଟରେ ଗୁକେଶଙ୍କ ଏକ ଫଟୋ ଲଗାଯାଇଥିଲା । ଅର୍ଥାତ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଗୁକେଶଙ୍କୁ ଚେନ୍ନାଇର ବୋଲି କହିବା ପରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଆମ ତେଲୁଗୁ ପିଲା କହି ସମ୍ୱୋଧନ କରିଥିଲେ । ଏହାକୁ ନେଇ ଆରମ୍ଭ ହୋଇଛି ବିତର୍କ । ଦକ୍ଷିଣ ଭାରତର ଏଇ ଦୁଇ ରାଜ୍ୟ ଗୁକେଶଙ୍କୁ ନିଜ ରାଜ୍ୟର ବୋଲି ଦାବି କରୁଛନ୍ତି । ବାସ୍ତବରେ ଗୁକେଶଙ୍କ ବାପାମାଆ ତେଲୁଗୁ କିନ୍ତୁ ସେମାନେ ଚେନ୍ନାଇରେ ରହୁଛନ୍ତି ।