ଟମାଟୋ ଅମଳ ହେଲେ କମିବ ଦର

ଜାଣନ୍ତୁ କେବେ କମିବ ଟମାଟୋ ଦର

ଗତ ଦୁଇ ସପ୍ତାହ ଧରି ଅହେତୁକ ଭାବେ ବୃଦ୍ଧି ପାଉଛି ପରିବା ଦର । ଖାଉଟି ପରିବା ବଜାରରୁ ମୁହଁ ଫେରାଇ ନେଉଛନ୍ତି । ପ୍ରଥମେ ଟମାଟୋ ଆଉ ତାପରେ ସବୁ ପରିବା, ଏପରି କି କଞ୍ଚା ଲଙ୍କା ଓ ଅଦା । ପ୍ରାୟତଃ ସବୁର ଦାମ୍ ଶହେ ପାର୍ । ଦେଶର କେତେକ ରାଜ୍ୟରେ ଟମୋଟା ଦର କିଲୋଗ୍ରାମ ପିଛା ୨୫୦ ଟଙ୍କା ବି ଟପିଗଲାଣି । ତେବେ ଏଠାରେ ପ୍ରଶ୍ନ ଉଠୁଛି ଆଉ କେତେ ଦିନ ପର୍ଯ୍ୟନ୍ତ ଟମାଟୋ ଦର ଏପରି ମହଙ୍ଗା ସ୍ତରରେ ରହିଥିବ ? ଏହାରି ଭିତରେ ଆସିଛି ଆଉ ଏକ ଗୁରୁତ୍ବପୂର୍ଣ୍ଣ ଖବର । ଆଗାମୀ ଦେଢରୁ ଦୁଇ ମାସ ଭିତରେ ଶସ୍ତା ହେବନି ଟମାଟୋ ଦର । ନ୍ୟାସନାଲ କମୋଡିଟିଜ୍ ମ୍ୟାନେଜମେଣ୍ଟ ସର୍ଭିସେସ୍ ଲିମିଟେଡ୍ ବା ଏନସିଏମଏଲ୍ ର ପରିଚାଳନା ନିର୍ଦେଶକ ସଞ୍ଜୟ ଗୁପ୍ତା ଟମାଟୋ ଦରରେ ଅହେତୁକ ବୃଦ୍ଧିର କାରଣ ବିଷୟରେ କହିଛନ୍ତି । ଖରାପ ପାଗ ଓ ଫସଲ ନଷ୍ଟ ଯୋଗୁଁ ଟମାଟୋ ଯୋଗାଣ ପ୍ରଭାବିତ ହୋଇଛି ବୋଲି ସେ କହିଛନ୍ତି । ମୌସୁମୀ ସକ୍ରିୟ ହେଉଥିବାରୁ ଅତ୍ୟଧିକ ବର୍ଷା ଓ ପରବର୍ତ୍ତୀ ଜଳବନ୍ଦୀ ଯୋଗୁଁ ଟମାଟୋ ଫସଲ ଗୁରୁତର ଭାବେ ପ୍ରଭାବିତ ହୋଇଥିବାରୁ ବଜାରରେ ଯୋଗାଣର ଅଭାବ ଦେଖାଦେଇଛି । ଦେଶର କେତେକ ଟମାଟୋ ଉତ୍ପାଦନକାରୀ ରାଜ୍ୟରେ ପ୍ରବଳ ବର୍ଷା ଯୋଗୁଁ ଟମୋଟୋ ଫସଲ ନଷ୍ଟ ହୋଇଛି । ଏଣୁ ନୂଆ ଫସନ ନ ଆସିବା ପର୍ଯ୍ୟନ୍ତ ବଜାରରେ ଟମାଟୋ ମହଙ୍ଗା ରହିବ । ତେବେ ବଜାରକୁ ନୂଆ ଫସଲ ଆସିବାକୁ ଆହୁରି ଦେଢରୁ ୨ ମାସ ସମୟ ଲାଗିଯିବ । ଏଣୁ ସେତେଦିନ ପର୍ଯ୍ୟନ୍ତ ଦେଶରେ ଟମାଟୋ ଦର ମହଙ୍ଗା ରହିବ ବୋଲି ସେ କହିଛନ୍ତି ।