ଘଡଘଡ ନାଦ କରି ଆଗେଇ ଚାଲିଛି ତିନି ରଥ

ଶରଧାବାଲି ଅଭିମୁଖେ ଗଡ଼ିଲା ତାଳଧ୍ବଜ

ଶ୍ରୀକ୍ଷେତ୍ରରେ ଶ୍ରୀମନ୍ଦିରର ସିଂହଦ୍ବାର ସମ୍ମୁଖରୁ ଶରଧାବାଲି ଅଭିମୁଖେ ରଥ ଗଡ଼ିବା ଆରମ୍ଭ ହୋଇଯାଇଛି। ତିନି ରଥ ଉପରେ ମହାପ୍ରଭୁଙ୍କ ଆଦ୍ୟ ସେବକ ଗଜପତି ମହାରାଜ ଦିବ୍ୟସିଂହ ଦେବ ସୁନାର ଖଡ଼ିକାରେ ଛେରାପହଁରା କରିବା ପରେ ଘୋଡ଼ା ଯୋଚା ଯାଇଥିଲା। ଚାରମାଳ ଫିଟା ସରିବା ପରେ  ମହାପ୍ରଭୁଙ୍କ ବହୁ ପ୍ରତୀକ୍ଷିତ ରଥଯାତ୍ରାର ଆକର୍ଷଣୀୟ ଦୃଶ୍ୟ ‘ରଥ’ ଗଡ଼ିଛି। ବଡ଼ଦାଣ୍ଡରେ ପ୍ରଥମେ ପ୍ରଭୁ ବଳଦେବଙ୍କର ତାଳଧ୍ବଜ ରଥ ଶରଧାବାଲି ଅଭିମୁଖେ ବାହାରିଛି। ଏଥି ପାଇଁ ବଡ଼ଦାଣ୍ଡ ଭକ୍ତିମୟ ହୋଇଛି। ତାଳଧ୍ବଜଙ୍କୁ ଟାଣିଟାଣି ନେବା ବେଳେ ଭକ୍ତମାନେ ହରିବୋଲ ଓ ହୁଳହୁଳିରେ କମ୍ପନ ସୃଷ୍ଟି କରୁଛନ୍ତି। ନୀତିକାନ୍ତି ଅନୁସାରେ ସମସ୍ତ କାର୍ଯ୍ୟ ଶେଷ ହେବା ପରେ ରଥଟଣା ଆରମ୍ଭ ହୋଇଛି। ପ୍ରଥମେ ବଲଭଦ୍ରଙ୍କ ରଥ ଟଣା ହେଲା। ରଥ ଟାଣିଲେ ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ ଓ ଆଇନ ମନ୍ତ୍ରୀ । ଘଡଘଡ ନାଦ କରି ଆଗେଇ ଚାଲିଛି ତିନି ରଥ । ଆଗରେ ବଡ ଭାଇ ବଳଭଦ୍ରଙ୍କ ତାଳଧ୍ବଜ ରଥ, ମଝିରେ ଭଉଣୀ ସୁଭଦ୍ରାଙ୍କ ଦେବଦଳନ ଓ ପରେ କାଳିଆ ସାଆନ୍ତଙ୍କ ନନ୍ଦିଘୋଷ ରଥ ଆଗେଇ ଚାଲିଛି ।