ସୂର୍ଯ୍ୟମଣି ପାଟ୍ଟଯୋଶୀଙ୍କ ମିଳିଲାଣି ୧୭ ଲକ୍ଷ, ୧୧ପ୍ଲଟ୍ ଓ ୩ଟି ଫ୍ଲାଟ୍
ଜଟଣୀ ପୌରପାଳିକାର କୋଟିପତି କାର୍ଯ୍ୟନିର୍ବାହୀ ଅଧିକାରୀ ସୂର୍ଯ୍ୟମଣି ପାଟ୍ଟଯୋଶୀ। ଘରୁ ମିଳୁଛି ବିଡ଼ାବିଡ଼ା ଟଙ୍କା। ଗଣି ଗଣି ହାଲିଆ ହୋଇପଡ଼ିଲେ ଭିଜିଲାନ୍ସ ଅଧିକାରୀ। ଶେଷରେ ଆସିଲା ଟଙ୍କା ଗଣା ମେସିନ। ଏଥିସହ ପାଟ୍ଟଯୋଶୀଙ୍କର ଭୁବନେଶ୍ୱର ସ୍ଥିତ ଜାଗମରା, ଖାରବେଳନଗର, ଡେଲ୍ଟା ସ୍କୋୟାରରେ ୩ଟି ଫ୍ଲାଟ୍, ଭୁବନେଶ୍ୱର ଓ ବ୍ରହ୍ମପୁରରେ ୧୧ଟି ପ୍ଲଟ୍, ୧୫୦ ଗ୍ରାମ ସୁନା, ଗୋଟିଏ ଚାରି ଚକିଆ ଯାନ ଓ ୨୦ଟି ବ୍ୟାଙ୍କ ଆକାଉଣ୍ଟ ଓ ପୋଷ୍ଟାଲ ଜମା ଥିବା ଜଣାଯାଇଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପାଟ୍ଟଯୋଶୀଙ୍କର ଭୁବନେଶ୍ୱର ସମେତ ଏକକାଳୀନ ୧୦ଟି ସ୍ଥାନରେ ଚଢ଼ାଉ କରିଛି ଭିଜିଲାନ୍ସ । ଆଜି ସକାଳେ ପାଟ୍ଟଯୋଶୀଙ୍କ ପୈତୃକ ଗାଁ ଗଂଜାମ ଜିଲ୍ଲା ସୋରଡାର ତିନିଟି ଘରେ ଭିଜିଲାନ୍ସ ଚଢ଼ାଉ କରିଛି। ଏଥିସହ ଜଟଣୀ ପୌରପରିଷଦ କାର୍ଯ୍ୟାଳୟରେ ବି ଚଢ଼ାଉ କରିଛି ଭିଜିଲାନ୍ସ। ଏହା ସହ ଭୁବନେଶ୍ବର ଓ ବ୍ରହ୍ମପୁର ସ୍ଥିତ ବାସଭବନରେ ଚାଲିଛି ରେଡ୍। ଏହି ଚଢ଼ାଉରେ ୯ ଜଣ ଡିଏସପି, ୪ ଜଣ ଇନ୍ସପେକ୍ଟର, ୧୩ ଜଣ ASI ସାମିଲ ହୋଇଛନ୍ତି । ଭୁବନେଶ୍ୱର ସ୍ୱତନ୍ତ୍ର ଭିଜିଲାନ୍ସ ଜଜଙ୍କ ନିର୍ଦ୍ଦେଶରେ ଏହି ଚଢ଼ାଉ ଚାଲିଛି ।
