ବାଲେଶ୍ବର FM କଲେଜ ଘଟଣାକୁ “ଲଜ୍ଜାଜନକ” କହିଲେ ସୁପ୍ରିମକୋର୍ଟ
ବାଲେଶ୍ବର FM କଲେଜ ଛାତ୍ରୀଙ୍କ ଜୀବନ ହାରିବା ଉଦ୍ୟମ ଘଟଣାକୁ “ଲଜ୍ଜାଜନକ” କହିଲେ ସୁପ୍ରିମକୋର୍ଟ । ଜଷ୍ଟିସ ସୂର୍ଯ୍ୟ କାନ୍ତ ଓ ଜଷ୍ଟିସ ଜୟମାଲ୍ୟ ବାଗଚୀଙ୍କ ଖଣ୍ଡପୀଠ ଏହି ଘଟଣାକୁ “ଅତ୍ୟନ୍ତ ଦୁଃଖଦ ଓ ଲଜ୍ଜାଜନକ” ବୋଲି କହିଛନ୍ତି । ସୁପ୍ରିମ କୋର୍ଟ ମହିଳା ଓକିଲ ସଂଘ ପକ୍ଷରୁ ଏହି ଘଟଣାକୁ ସୁପ୍ରିମକୋର୍ଟଙ୍କ ନଜରକୁ ଅଣାଯାଇଥିଲା । ଏହି ଘଟଣାରେ କେନ୍ଦ୍ର ସରକାର ଓ ସମସ୍ତ ପକ୍ଷଙ୍କୁ ଜବାବ ମାଗିଛନ୍ତି ସୁପ୍ରିମକୋର୍ଟ । ଗ୍ରାମାଞ୍ଚଳରେ ସ୍କୁଲ ଛାତ୍ରୀ, ମହିଳା ଓ ଶିଶୁଙ୍କୁ ସୁରକ୍ଷା କରିବା ପାଇଁ କଣ ପଦକ୍ଷେପ ନିଆଯାଇପାରେ ଜଣାଇବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଦେଶରେ ଏପରି ଘଟୁଛି, ଯାହା ଦୁର୍ଭାଗ୍ୟଜନକ ଓ ଆମକୁ ଲଜ୍ଜିତ କରୁଛି ବୋଲି ଖଣ୍ଡପୀଠ କହିଛନ୍ତି ।
ସୁପ୍ରିମକୋର୍ଟ କହିଛନ୍ତି ଯେ ଏହା କୌଣସି ପ୍ରତିଦ୍ୱନ୍ଦ୍ୱିତାମୂଳକ ମକଦ୍ଦମା ନୁହେ, ବରଂ ସମାଜର ସବୁଠାରୁ ଅସୁରକ୍ଷିତ ଲୋକଙ୍କୁ ସଶକ୍ତ କରିବା ପାଇଁ କାର୍ଯ୍ୟକାରୀ ପଦକ୍ଷେପ ଆବଶ୍ୟକ । ବାଲେଶ୍ୱରର ଫକୀର ମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟର ଜଣେ ୨୦ ବର୍ଷୀୟ ଛାତ୍ରୀ ଜୁଲାଇ ୧୨ରେ କଲେଜ ପରିସରରେ ନିଜ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇଜୀବନ ହାରିବା ଉଦ୍ୟମ କରିଥିଲେ । ସେ ଜଣେ ଅଧ୍ୟାପକଙ୍କ ବିରୁଦ୍ଧରେ ଯୌନ ନିର୍ଯାତନାର ଅଭିଯୋଗ ଆଣିଥିଲେ । କିନ୍ତୁ କଲେଜ କର୍ତ୍ତୃପକ୍ଷ ତାଙ୍କ ଅଭିଯୋଗରେ କୌଣସି ପଦକ୍ଷେପ ନେଇ ନଥିବା ଅଭିଯୋଗ ହୋଇଛି । ଜୁଲାଇ ୧୪ରେ ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ଏହାକୁ ନେଇ ଓଡିଶା କ୍ରାଇମବ୍ରାଞ୍ଚ, ୟୁଜିସି ଭଳି ବିଭିନ୍ନ ସ୍ତରରେ ତଦନ୍ତ ଜାରି ରହିଛି ।
ଏହି ଘଟଣାରେ ଅଭିଯୁକ୍ତ ଅଧ୍ୟାପକ ସମୀର କୁମାର ସାହୁ ଓ କଲେଜ ଅଧ୍ୟକ୍ଷ ଦିଲ୍ଲୀପ କୁମାର ଘୋଷଙ୍କୁ ଗିରଫ କରାଯାଇଛି । ଓଡ଼ିଶା ସରକାର ଏକ ଉଚ୍ଚସ୍ତରୀୟ ତଦନ୍ତ ଆରମ୍ଭ କରିଛନ୍ତି ଏବଂ କ୍ରାଇମ ବ୍ରାଞ୍ଚର ମହିଳା ଓ ଶିଶୁ ବିଭାଗ ଏହାର ତଦନ୍ତ କରୁଛି । ଜାତୀୟ ମାନବାଧିକାର ଆୟୋଗ ଓ ଜାତୀୟ ମହିଳା ଆୟୋଗ ମଧ୍ୟ ଏହି ମାମଲାରେ ସ୍ୱତଃପ୍ରବୃତ୍ତ ହୋଇ ତଦନ୍ତ ଆରମ୍ଭ କରିଛନ୍ତି। ଏହି ଘଟଣା ଓଡ଼ିଶାରେ ରାଜନୈତିକ ବିବାଦ ସୃଷ୍ଟି କରିଛି । ବିରୋଧୀ ଦଳ ବିଜେଡି ଓ କଂଗ୍ରେସ ଏହାକୁ “ପ୍ରତିଷ୍ଠାନିକ ବିଶ୍ୱାସଘାତକତା” ବୋଲି ଅଭିହିତ କରି ରାଜ୍ୟ ସରକାରଙ୍କୁ ଦାୟୀ କରିଛନ୍ତି । ଜୁଲାଇ ୧୭ରେ ଏହି ଘଟଣାର ପ୍ରତିବାଦରେ ଓଡ଼ିଶା ବନ୍ଦ ଡାକରା ଦିଆଯାଇଥିଲା ।
