ଆଜି ଶ୍ରୀଜିଉଙ୍କ ସୁନାବେଶ

ରାଜରାଜେଶ୍ୱର ବେଶରେ ଦର୍ଶନ ଦେବେ ଚତୁର୍ଦ୍ଧାମୂର୍ତ୍ତି

ଆଜି ଶ୍ରୀଜିଉଙ୍କ ସୁନାବେଶ। ମହଣ ମହଣ ସୁନାରେ ବିଭୂଷିତ ହୋଇ ଦର୍ଶନ ଦେବେ ଚତୁର୍ଦ୍ଧା ମୂର୍ତ୍ତି । ପୁରି ଉଠିବ ସିଂହଦ୍ବାର, ଉଚ୍ଛୁଳିବ ବଡ଼ଦାଣ୍ଡ । ସକାଳୁ ୩ ରଥ ଉପରେ ଦୈନନ୍ଦିନ ନୀତିକାନ୍ତି ପରେ ଅପରାହ୍ନରେ ସ୍ୱର୍ଣ୍ଣ ଅଳଙ୍କାରରେ ବିଭୂଷିତ ହୋଇ ଦର୍ଶନ ଦେବେ ରଥାରୁଢ଼ ୩ ଠାକୁର। ସକାଳ ୬ଟାରୁ ମଙ୍ଗଳ ଆଳତୀ ନୀତି ହୋଇଥିବା ବେଳେ ଦିନ ୧୦ଟା ୩୦ ସୁଦ୍ଧା ଗୋପାଳ ବଲ୍ଲଭ ଭୋଗ ନୀତି ସମ୍ପନ୍ନ ହୋଇଛି । ଦିନ ୨ଟାରୁ ୩ଟା ମଧ୍ୟରେ ମଧ୍ୟାହ୍ନ ଧୂପ ନୀତି। ଆଉ ସନ୍ଧ୍ୟା ୫ଟାରୁ ସାଢେ ୬ଟା ମଧ୍ୟରେ ହେବ ସୁନାବେଶ । ରାତି ୧୦ଟା କିମ୍ବା ୧୧ଟା ଯାଏଁ ଏହି ଦୁର୍ଲଭ ବେଶ ଦର୍ଶନର ସୁଯୋଗ ପାଇବେ ଶ୍ରଦ୍ଧାଳୁ। ମହାପ୍ରଭୁଙ୍କ ସୁନା ବେଶରେ ବ୍ୟବହୃତ ଅଳଙ୍କାର ସବୁ ଗତ ୧୪ ତାରିଖରେ ଅସ୍ଥାୟୀ ବାହାର ରତ୍ନ ଭଣ୍ଡାରକୁ ସ୍ଥାନାନ୍ତର କରାଯାଇଛି। ତେଣୁ ସେଠାରୁ ହିଁ ଆଜି ଅଳଙ୍କାର ଅଣାଯାଇ ଶ୍ରୀଜିଉଙ୍କ ରାଜରାଜେଶ୍ୱର ବେଶ ସଂପନ୍ନ ହେବ। ଏହି ବେଶ ଦର୍ଶନ ପାଇଁ ଶ୍ରୀକ୍ଷେତ୍ରରେ ୧୫ ଲକ୍ଷରୁ ଅଧିକ ଭକ୍ତଙ୍କ ସମାଗମ ହେବା ଆଶା କରାଯାଉଛି। ଶୃଙ୍ଖଳିତ ଦର୍ଶନ ଲାଗି ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ ହୋଇଥିବା ବେଳେ ରଥାରୁଢ଼ ଶ୍ରୀଜିଉଙ୍କ ସାମ୍ନାରେ କୌଣସି ସେବାୟତଙ୍କୁ ଛିଡ଼ା ହେବାକୁ ବାରଣ କରାଯାଇଛି । ଗତକାଲି ମଧ୍ୟ ରଥାରୁଢ଼ ଶ୍ରୀଜିଉଙ୍କ ଦର୍ଶନ ଲାଗି ଜନସମୁଦ୍ର ପାଲଟିଥିଲା ଶ୍ରୀକ୍ଷେତ୍ର।
ଅନ୍ୟପଟେ ଭକ୍ତଙ୍କ ଭିଡ଼କୁ ନଜରରେ ରଖି ପୁରୀରେ ଟ୍ରାଫିକ୍ ବ୍ୟବସ୍ଥା ଉପରେ ମଧ୍ୟ ବିଶେଷ ଧ୍ୟାନ ଦିଆଯାଇଛି। ସୁନାବେଶ ପାଇଁ ହୋଇଛି ସ୍ୱତନ୍ତ୍ର ଟ୍ରାଫିକ୍ ରୁଟ୍ ଚାର୍ଟ ପ୍ରସ୍ତୁତ କରାଯାଇଛି । ଯେଉଁମାନେ ଭୁବନେଶ୍ବର ପଟୁ ୪ ଚକିଆରେ ଆସୁଥିବେ ସେମାନେ ସଂସ୍କୃତ ବିଶ୍ୱବିଦ୍ୟାଳୟ ପରିସର, ବ୍ରହ୍ମଗିରି ପଟୁ ଆସୁଥିବା ଯାତ୍ରୀ ଜଗନ୍ନାଥ ବଲ୍ଲଭ, ୟାତ୍ରିକା ପ୍ୟାଲେସ୍ ଏବଂ ନୋଳିଆ ଫିଲଡରେ ପାର୍କିଂ କରିବେ। କୋଣାର୍କ ପଟୁ ଆସୁଥିବା ଯାତ୍ରୀ, ଇଣ୍ଡୋର ଷ୍ଟାଡ଼ିୟମ୍, ଆଇଟିଆଇ ଏବଂ ହେଲିପ୍ୟାଡ୍ ପାର୍କିଂରେ ଗାଡ଼ି ରଖିବେ। ଭୁବନେଶ୍ବର ପଟୁ ଆସୁଥିବା ଟୁରିଷ୍ଟ ବସ୍ ମାଳତୀପାଟପୁରରେ ଓ ଦୈନିକ ବସ୍ ତାଳବଣିଆଠାରେ ପାର୍କିଂ କରିବେ।

Leave a Reply

Your email address will not be published. Required fields are marked *