ମହଣ ମହଣ ସୁନାରେ ଝଲସିବେ ଶ୍ରୀଜିଉ

ଜାଣନ୍ତୁ କେଉଁ ଠାକୁର ପିନ୍ଧିବେ କେଉଁ ଅଳଙ୍କାର?

ମହଣ ମହଣ ସୁନାରେ ଝଲସିବେ ଶ୍ରୀଜିଉ। କୁହାଯାଏ ସୁନାବେଶରେ ମହାପ୍ରଭୁଙ୍କୁ ଦର୍ଶନ କଲେ ମୁକ୍ତି ମିଳେ ବୋଲି । ବର୍ଷକୁ ଶ୍ରୀଜିଉଙ୍କ ୪ ଥର ସୁନା ବେଶ ହେଉଥିବା ବେଳେ । ମନ୍ଦିର ଭିତରେ ୩ ଥର ଏବ ମନ୍ଦିର ବାହାରେ ଥରୁଟିଏ ହୋଇଥାଏ । ବାହୁଡା ଯାତ୍ରାରେ ହେଉଥିବା ସୁନାବେଶ ଦର୍ଶନ କଲେ କୋଟି ଜନ୍ମର ପୂଣ୍ୟମିଳେ ବୋଲି ବିଶ୍ୱାସ ଅଛି । ସେଇଥିପାଇଁ ଦର୍ଶନ କରିବାକୁ ବଡଦାଣ୍ଡରେ କୋଟି କୋଟି ଭକ୍ତଙ୍କ ସମାଗମ ହୋଇଥାଏ ।

ଏହି ଦିନ ଶ୍ରୀଜଗନ୍ନାଥ କଣ ଅଳଙ୍କାର ପିନ୍ଧନ୍ତି ଜାଣନ୍ତୁ : ଶ୍ରୀପୟର, କିରିଟ, ଶ୍ରୀଭୁଜ(ହାତ), ସ୍ଵର୍ଣ୍ଣ ଚକ୍ର ଓ ରୌପ୍ୟ ଶଙ୍ଖ, ଓଢ଼ିଆଣୀ(କାନ ଫୁଲ), କମରପଟି, ଚନ୍ଦ୍ରସୂର୍ଯ୍ୟ, ଆଡ଼କାନି, ଘାଗଡ଼ା ମାଳି, କଦମ୍ବ ମାଳି, ତ୍ରିଖଣ୍ଡିକା, ଝୋବାକଣ୍ଠି, ବାହାଡ଼ା ମାଳି, ତାବିଜ ମାଳି, ସେବତୀ ମାଳି, ତିଳକ, ଚନ୍ଦ୍ରିକା, ଅଳକାରେ ସଜେଇ ହୁଅନ୍ତି ।

ସୁନା ବେଶ ସମୟରେ ଶ୍ରୀବଳଭଦ୍ର ପିନ୍ଧୁଥିବା ଅଳଙ୍କାରମାନ ହେଉଛି-ଶ୍ରୀପୟର, କିରିଟ, ଶ୍ରୀଭୁଜ, ହଳ ଓ ମୂଷଳ, ଓଢିଆଣୀ, କୁଣ୍ଡଳ, ଚନ୍ଦ୍ରସୂର୍ଯ୍ୟ, ତ୍ରିଖଣ୍ଡିକା, କମରପଟି, ଆଡ଼କାନି, ଘାଗଡ଼ା ମାଳି, କଦମ୍ବ ମାଳି, ବାହାଡ଼ା ମାଳି, ବାଘନଖ ମାଳି, ସେବତୀ ମାଳି, ତିଳକ, ଚନ୍ଦ୍ରିକା, ଅଳକା, ଝୋବାକଣ୍ଠି । ସେହିପରି ଦେବୀ ସୁଭଦ୍ରାଙ୍କ ଅଳଙ୍କାର ହେଉଛି- କିରୀଟ, ଓଢ଼ିଆଣୀ, କାନ, ଚନ୍ଦ୍ରସୂର୍ଯ୍ୟ, ତଗଡ଼ି-୨ଟି, ସେବତୀ ମାଳି, ଘାଗଡ଼ା ମାଳି, କଦମ୍ବ ମାଳି ।

ଆସନ୍ତାକାଲି ଅଧରପଣା ପରେ ମଙ୍ଗଳବାର ନୀଳାଦ୍ରିବିଜେ। ନୀଳକନ୍ଦରକୁ ଫେରିବେ ମହାବାହୁ । ସିଂହଦ୍ବାର ଆଗରେ ତିନିରଥ । ପ୍ରଥମେ ପହଞ୍ଚିଥିଲା ବଡ଼ଠାକୁର ବଳଭଦ୍ରଙ୍କ ତାଳଧ୍ବଜ । ପରେ ଆସିଥିଲା ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ । ଶେଷାରେ ପହଞ୍ଚିଥିଲା କାଳିଆ ସାଆନ୍ତଙ୍କ ନନ୍ଦିଘୋଷ ରଥ । ମଝିରେ ଶ୍ରୀନଅର ଆଗରେ ଲକ୍ଷ୍ମୀନାରାୟଣ ଭେଟ ହୋଇଥିଲା । ଏହି ଭେଟ ପରେ ଜଗନ୍ନାଥଙ୍କ ରଥ ଆସି ସିଂହଦ୍ବାର ଆଗରେ ପହଞ୍ଚିଥିଲା । ଧାର୍ଯ୍ୟ ସମୟ ଆଗରୁ ନୀତିକାନ୍ତି ସରିବା ପରେ ଛେରାପହଁରା କରିଥିଲେ ଗଜପତି ମହାରାଜ । ଘଣ୍ଟାଏ ଆଗରୁ ଟଣାଯାଇଥିଲା ରଥ । ହରିବୋଲ, ହୁଳହୁଳି, ଘଣ୍ଟ ଘଣ୍ଟା ଓ ଜୟ ଜଗନ୍ନାଥ ଧ୍ବନୀରେ ପ୍ରକମ୍ପିତ ହୋଇଥିଲା ବଡ଼ଦାଣ୍ଡ । ଏବେ ସିଂହଦ୍ବାର ଆଗରେ ତିନି ରଥରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି।