୨୫ରୁ ଖରା ଛୁଟି
ବଢ଼ୁଥିବା ଖରାକୁ ଦୃଷ୍ଟିରେ ରଖି ଆସନ୍ତା ୨୫ ରୁ ସ୍କୁଲ ଛୁଟି କରିଦେଇଛନ୍ତି ରାଜ୍ୟ ସରକାର । ଏପ୍ରିଲ ୨୨ରୁ ୨୪ ତାରିଖ ପର୍ୟ୍ୟନ୍ତ ତିନିଦିନ ପାଇଁ ସମସ୍ତ ସ୍କୁଲକୁ ସକାଳୁଆ କରିଥିବା ବେଳେ ଆସନ୍ତା ୨୫ ରୁ ସ୍କୁଲ ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର । ଏହି ନିଷ୍ପତ୍ତି ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ସମସ୍ତ ବିଦ୍ୟାଳୟ ପାଇଁ ଲାଗୁ ହୋଇଛି । ଅସହ୍ୟ ହେଉଛି ଖରା ତାତି । ପ୍ରବଳ ଗ୍ରୀଷ୍ମଲହରି ଜାରି ରହିଥିବା ବେଳେ ରାଜ୍ୟରେ କିନ୍ତୁ ଖୋଲା ରହିଛି ଅଙ୍ଗନବାଡି କେନ୍ଦ୍ର । ଯାହାକୁ ନେଇ ଅଭିଭାବକଙ୍କ ଭିତରେ ଅସନ୍ତୋଷ ଦେଖାଦେଇଛି । କୋରାପୁଟ, ନବରଙ୍ଗପୁର ଓ ମାଲକାନଗିରି ଜିଲ୍ଲାରେ ଅଭିଭାବକମାନେ ଅଙ୍ଗନବାଡି କେନ୍ଦ୍ରକୁ ଛୁଟି ଘୋଷଣା ପାଇଁ ଦାବି କରିଛନ୍ତି । କିଛି ସ୍ଥାନରେ ପିଲାମାନେ ଅଙ୍ଗନବାଡି କେନ୍ଦ୍ର ଆସୁଥିବା ବେଳେ କେଉଁଠି ଖରାକୁ ଦୃଷ୍ଟିରେ ରଖି ସେମାନଙ୍କର ପିଲାଙ୍କୁ ଛାଡୁ ନାହାନ୍ତ ଅଭିଭାବକ । କୋରାପୁଟ ଜିଲ୍ଲା ନାରାୟଣପାଟଣା ଘାସୀ ସାହି ଅଙ୍ଗନବାଡି କେନ୍ଦ୍ରକୁ ପିଲାଙ୍କୁ ପଠାଉ ନାହାନ୍ତି ଅଭିଭାବକ । ଗତ କିଛିଦିନ ତଳେ ଗ୍ରୀଷ୍ମ ଲହରିକୁ ଦୃଷ୍ଟିରେ ରଖି ରାଜ୍ୟରେ ସରକାରୀ ସ୍କୁଲକୁ ୩ଦିନ ଛୁଟି ଘୋଷଣା କରାଯାଇଥିଲା । କିନ୍ତୁ ଖୋଲା ରହିଥିଲା ଅଙ୍ଗନବାଡି କେନ୍ଦ୍ର ।