ରତ୍ନଭଣ୍ଡାର ନେଇ ଗଠନ ହୋଇଛି ନୂଆ କମିଟି

‘ପ୍ରଥମ ଦାୟିତ୍ୱ ରତ୍ନଭଣ୍ଡାର ଖୋଲିବା, ପରେ ଗଣତି ଓ ମଣତି ନିଷ୍ପତ୍ତି’

ମହାପ୍ରଭୁ ଶ୍ରୀଜଗନ୍ନାଥ ମନ୍ଦିରର ରତ୍ନଭଣ୍ଡାର ଖୋଲିବାକୁ ନେଇ ଚର୍ଚ୍ଚା ଲାଗି ରହିଥିବାବେଳେ ରାଜ୍ୟ ସରକାର ଗତକାଲି ପୁରୁଣା କମିଟିକୁ ଭାଙ୍ଗି ଦେଇଛନ୍ତି । ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ରତ୍ନଭଣ୍ଡାର ଯାଞ୍ଚ ସହ ଅଳଙ୍କାର ଗଣନା ପାଇଁ ନବୀନ ପଟ୍ଟନାୟକ ସରକାର ଗଢ଼ିଥିବା କମିଟିକୁ ଭଙ୍ଗ କରି ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ବିଶ୍ୱନାଥ ରଥଙ୍କ ଅଧ୍ୟକ୍ଷତାରେ ୧୬ଜଣିଆ କମିଟି ଗଠନ କରିଛନ୍ତି ରାଜ୍ୟର ମୋହନ ମାଝୀ ସରକାର । ନୂଆ କମିଟିରେ ସଦସ୍ୟ ଭାବେ ଡାକ୍ତର ସିବିକେ ମହାନ୍ତି, ଚାଟାର୍ଡ ଆକାଉଣ୍ଟାଣ୍ଟ ରାଜୀବ ସାହୁ, ଅବସରପ୍ରାପ୍ତ ଆଇଏଏସ୍ ଜଗଦୀଶ ମହାନ୍ତି, ଅବସରପ୍ରାପ୍ତ ଆଇପିଏସ୍ ପ୍ରକାଶ ମିଶ୍ର, ସ୍ୱାମୀ ପ୍ରଜ୍ଞାନନ୍ଦ ଜୀ, ହରିହର ହୋତା, ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ, ଗଜପତି ମହାରାଜାଙ୍କ ପ୍ରତିନିଧି, ପ୍ରତ୍ନତତ୍ତ୍ୱ ବିଭାଗର ପ୍ରତିନିଧି, ମଧୁସୂଦନ ସିଂଘାରୀ, ଜନାର୍ଦ୍ଦନ ପାଟ୍ଟଯୋଶୀ ମହାପାତ୍ର, ଜଗନ୍ନାଥଦାସ ମହାପାତ୍ର, ସୌମେନ୍ଦ୍ର ମୁଦୁଲି, ପୁରୀ ଜିଲ୍ଲାପାଳ ଓ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକଙ୍କୁ ସାମିଲ କରାଯାଇଛି ।ନୂଆ କମିଟି ଗଠନ ହେବା ପରେ ଜଷ୍ଟିସ୍ ବିଶ୍ୱନାଥ ରଥ କହିଛନ୍ତି, ୧୯୭୮ ମସିହା ପରେ ରତ୍ନ ଭଣ୍ଡାର ପୁଣି ଖୋଲିବାକୁ ଯାଉଛି, ତେଣୁ ମହାପ୍ରଭୁଙ୍କ ଆର୍ଶୀବାଦ ଆବଶ୍ୟକ। ଆସନ୍ତାକାଲି ଏନେଇ ବୈଠକ ବସିବ, କିପରି ରତ୍ନ ଭଣ୍ଡାର ଖୋଲାଯିବ, କଣ ପଦକ୍ଷେପ ନିଆଯିବ ତାକୁ ନେଇ ନିଷ୍ପତ୍ତି ହେବ। ରତ୍ନ ଭଣ୍ଡାର ଖୋଲାଗଲା ପରେ ଏହାର ପ୍ରକୃତ କାମ ଆରମ୍ଭ ହେବ ବୋଲି କହିଛନ୍ତି ଜଷ୍ଟିସ୍ ରଥ। ରତ୍ନ ଭଣ୍ଡାରରୁ ଅଳଙ୍କାର ଚିହ୍ନଟ ଓ ଗଣତିକୁ ଖୁବ୍ ଶୀଘ୍ର ସାରିବାକୁ ପ୍ରାଧାନ୍ୟ ଦିଆଯିବ ବୋଲି ସେ ଦୋହରାଇଛନ୍ତି।