22.5 ଘଣ୍ଟାର ଯାତ୍ରା ପରେ ସଫଳ ଅବତରଣ

ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଲା

ଡ୍ରାଗନ୍ ‘ଗ୍ରେସ୍’ ମହାକାଶଯାନ କାଲିଫର୍ଣ୍ଣିଆର ସାନ ଡିଏଗୋ ଉପକୂଳରୁ ସୁରକ୍ଷିତ ଭାବରେ ଅବତରଣ କରିଛି । ଏହାରି ସହିତ ଭାରତୀୟ ମହାକାଶଚାରୀ ଶୁଭାଂଶୁ ଶୁକ୍ଲାଙ୍କ ସମେତ ଆକ୍ସିଓମ୍-4 ମିଶନର ସମସ୍ତ ସଦସ୍ୟ ପୃଥିବୀରେ ଅବତରଣ କରିଛନ୍ତି । ଜୁନ 25ରେ ମହାକାଶ ଯାତ୍ରା ଆରମ୍ଭ କରିଥିବା ଶୁଭାଂଶୁ ଶୁକ୍ଳା ଇତିମଧ୍ୟରେ 18 ଦିନିଆ ଯାତ୍ରା ଶେଷ କରି ପୃଥିବୀ ଫେରିଛନ୍ତି । ଏହାପରେ ଦେଶବାସୀଙ୍କ ସହିତ ଶୁକ୍ଳାଙ୍କ ପରିବାରରେ ଖୁସିର ଲହରୀ ଖେଳିଯାଇଛି । ପରିବାରବର୍ଗ ସିଧାସଳଖ ଏହି ଅବତରଣ ଦୃଶ୍ୟକୁ ଲକ୍ଷ୍ନୌର ସିଟି ମୋଣ୍ଟେସୋରି ସ୍କୁଲରେ ଦେଖିଥିଲେ ।

ଏଠାରେ କହିରଖୁଛୁ କି, ଆକ୍ସିଓମ-4 ମିଶନର ସୁରକ୍ଷିତ ଅବତରଣ ଲାଗି ଦୁଇଟି ପର୍ଯ୍ୟାୟରେ ପାରାଚୁଟ୍‌ କାମ କରିଥିଲା । 5.7 କିଲୋମିଟର ଉଚ୍ଚତାରେ ଅବତରଣକୁ ସ୍ଥିର କରିବା ପାଇଁ ଡ୍ରଗ୍ ପାରାଚୁଟ୍ ନିୟୋଜନ ଦ୍ବାରା ଅବତରଣ ସହଜ ହୋଇପାରିଛି । ଏହାପରେ ସ୍ପେଶଏକ୍ସ ମହାକାଶଯାନ ସମୁଦ୍ର ସହିତ ସମ୍ପର୍କ ସ୍ଥାପନ କରିବାର କିଛି ମିନିଟ୍ ପୂର୍ବରୁ ପ୍ରାୟ 2 କିଲୋମିଟରରେ ମୁଖ୍ୟ ପାରାଚୁଟ୍ ନିୟୋଜିତ ହୋଇଥିଲା । ଏହାପରେ ଡ୍ରାଗନ ସ୍ପେଶକ୍ରାଫ୍ଟ ପ୍ରଶାନ୍ତ ମହାସାଗରରେ ସୁରକ୍ଷିତ ସହିତ ଜୁଲାଇ 15, ଅପରାହ୍ନ 3.02ଟାରେ ଅବତରଣ କରିଛି । ଏବେ 4ଜଣ ମହାକାଶଚାରୀଙ୍କୁ ଉଦ୍ଧାର କରୁଛନ୍ତି ଉଦ୍ଧାରକାରୀ ଟିମ ।

ଏହି ମିଶନ ସହିତ ଭାରତୀୟ ବାୟୁସେନାରେ ଜଣେ କାର୍ଯ୍ୟରତ ଅଧିକାରୀ ତଥା ଗ୍ରୁପ୍ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା 1984 ପରେ ମହାକାଶ ଯାତ୍ରା କରିଥିବା ଦ୍ବିତୀୟ ଭାରତୀୟ ନାଗରିକ ଏବଂ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନରେ ପହଞ୍ଚିଥିବା ପ୍ରଥମ ଭାରତୀୟ ହୋଇଛନ୍ତି । ସେ ମହାକାଶଚାରୀ ରାକେଶ ଶର୍ମାଙ୍କ 7 ଦିନିଆ ମହାକାଶ ମିଶନକୁ ପଛରେ ପକାଇ ମହାକାଶରେ ସର୍ବାଧିକ ସମୟ ବିତାଇଥିବା ଭାରତୀୟ ମହାକାଶଚାରୀ ମଧ୍ୟ ହୋଇଛନ୍ତି ।

22.5 ଘଣ୍ଟାର ଯାତ୍ରା ପରେ ସଫଳ ଅବତରଣ
ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ (ISS)ରେ 18 ଦିନ ବିତାଇବା ପରେ, ଜୁଲାଇ 14 ଅପରାହ୍ନ 2ଟାରେ ହ୍ୟାଚ୍ ବନ୍ଦ ହୋଇଥିଲା । ଏହାପରେ ମହାକାଶ କେନ୍ଦ୍ରରୁ ଏକ ସ୍ୟଂଚାଳିତ ଅନଡକିଂ ପରେ, 4.35ଟା ନିର୍ଦ୍ଧାରିତ ସମୟର ମାତ୍ର କିଛି ମିନିଟ୍ ପରେ ଆକ୍ସ-4 କ୍ରୁ ପୃଥିବୀ ଅଭିମୁଖେ ଯାତ୍ରା କରିଥିଲେ । ଆଜି ଜୁଲାଇ 15ରେ ପୃଥିବୀ ପ୍ରତ୍ୟାବର୍ତ୍ତନର ସବୁଠୁ ଗୁରୁତ୍ବପୂର୍ଣ୍ଣ ସମଯ ଥିଲା ପୃଥିବୀର ବାୟୁମଣ୍ଡଳରେ ପୁନଃପ୍ରବେଶ କରିବା । ତେବେ ଏହି ପ୍ରକ୍ରିୟା ସଫଳତାର ସହିତ ଶେଷ ହୋଇତିବାବେଳେ ନିର୍ଦ୍ଧାରିତ ସମୟର କିଛି ମିନିଟ ପରେ ମହାକାଶଯାନର ସୁରକ୍ଷିତ ଅବତରଣ ହୋଇଥିଲା ।

ଏକ ସ୍ବତନ୍ତ୍ର ଜାହାଜ ଦ୍ବାରା କ୍ରୁଙ୍କୁ ପୁନରୁଦ୍ଧାର କରିବା ପରେ, ଆକ୍ସିଓମ-4 ମିଶନର ସମସ୍ତ 4 ଜଣ ମହାକାଶଚାରୀ, ମିଶନ କମାଣ୍ଡର ପେଗି ହ୍ବିଟସନ, ଭାରତର ମିଶନ ପାଇଲଟ୍ ଶୁଭାଂଶୁ ଶୁକ୍ଳା ଏବଂ ପୋଲାଣ୍ଡର ସ୍ଲାଓସ୍ ଉଜନାନ୍ସକି-ୱିସନିୱସ୍କି ଏବଂ ହଙ୍ଗେରୀର ଟିବର୍‌ କାପୁଙ୍କୁ ଏବେ ପୃଥିବୀର ମାଧ୍ୟାକର୍ଷଣ ସହିତ ଖାପ ଖୁଆଇବାରେ ସାହାଯ୍ୟ କରିବା ପାଇଁ ଏକ 7 ଦିନିଆ ପୁନର୍ବାସ କାର୍ଯ୍ୟକ୍ରମରେ ଯିବାକୁ ପଡ଼ିବ । ମହାକାଶରୁ ଫେରିବା ପରେ ସମସ୍ତ ମହାକାଶଚାରୀ ଏହି ପ୍ରକ୍ରିୟା ଦେଇ ଗତି କରନ୍ତି ।

ଜୁନ 25ରେ ଲଞ୍ଚ ହୋଇଥିଲା ଆକ୍ସ-4
ଗତ ମାସ ଜୁନ 25 ତାରିଖରେ ଫାଲକନ୍-9 ରକେଟ୍‌ରେ ସ୍ପେଶଏକ୍ସ ଡ୍ରାଗନ୍ ସ୍ପେଶସ୍କ୍ରାଫ୍ଟ ଯୋଗେ କେନେଡି ସ୍ପେଶ ସେଣ୍ଟରରୁ ଆକ୍ସିଓମ୍ ମହାକାଶଚାରୀମାନେ ଯାତ୍ରା ଆରମ୍ଭ କରିଥିଲେ । ପ୍ରାୟ 28 ଘଣ୍ଟା ଯାତ୍ରା ପରେ ଜୁନ 26 ଅପରାହ୍ନ 4ଟାରେ ଏହି ମହାକାଶଯାନ କକ୍ଷପଥ ପ୍ରୟୋଗଶାଳା ସହିତ ସଂଯୋଗ କରିଥିଲା । ତା’ପରେ ଆକ୍ସ-4 କ୍ରୁ ମହାକାଶ ଷ୍ଟେସନରେ ନାସାର ଅଭିଯାନ 73 ଦଳରେ ଯୋଗ ଦେଇଥିଲେ ଏବଂ ବୈଜ୍ଞାନିକ ପରୀକ୍ଷଣ କରିବା ସହିତ ସେମାନଙ୍କର ରହଣି ଆରମ୍ଭ କରିଥିଲେ ।