ମମତା ବାନାର୍ଜୀଙ୍କ ଇସ୍ତଫା ଦାବିରେ ‘ନବାନ୍ନ’ ଘେରାଉ

ବ୍ୟାରିକେଡ୍‌ ଭାଙ୍ଗି ଧସେଇ ପଶିଲେ ଛାତ୍ର

କୋଲକତା ମହିଳା ଡାକ୍ତରଙ୍କ ଦୁଷ୍କର୍ମ-ହତ୍ୟା ମାମଲାରେ ଆଜି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଇସ୍ତଫା ଦାବିରେ ‘ନବାନ୍ନ’ ଘେରାଉ କରିଛନ୍ତି ୩୦ହଜାର ଛାତ୍ରଛାତ୍ରୀ । ଅଭୟାଙ୍କୁ ନ୍ୟାୟ ଦେବାକୁ ଆଜି ମମତାଙ୍କ ଗଡ଼ରେ ହୋଇଛି ମହା ବିକ୍ଷୋଭ। ଛାତ୍ର ସଂଗଠନର ଆନ୍ଦୋଳନ ବେଳେ ପୁଲିସ ସହ ମୁହାଁମୁହିଁ ସ୍ଥିତି ସୃଷ୍ଟି ହୋଇଛି। ବ୍ୟାରିକେଡ୍ ଡେଇଁ ଧସେଇ ପଶିବାକୁ ଉଦ୍ୟମ କରିଛନ୍ତି ଛାତ୍ରଛାତ୍ରୀ। ଏତିକି ବେଳେ ଉତ୍ତେଜନା ପରିସ୍ଥିତି ଦେଖା ଦେଇଛି। ଏମାନଙ୍କ ମୁକାବିଲା ଲାଗି ସମସ୍ତ ଶକ୍ତି ଲଗାଇ ଦେଇଛନ୍ତି ମମତା ସରକାର। ଏହି ମାମାଲାରେ ଆଜି ଆଗୁଆ ୪ ଜଣ ଛାତ୍ରଙ୍କୁ ଅଟକ ରଖି ହେପାଜତକୁ ନିଆଯାଇଛି। ବିକ୍ଷୋଭକାରୀଙ୍କୁ ଅଟକାଇବା ପାଇଁ ପୁଲିସ ଲାଠି ଚାର୍ଜ କରିଛି। କେବଳ ସେତିକି ନୁହେଁ ପାଣି ମାଡ଼ କରିବା ସହ ଲୁହ ବୁହା ଗ୍ୟାସ୍‌ ମଧ୍ୟ ପ୍ରୟୋଗ କରିଛି। ରାଜ୍ୟ ସଚିବାଳୟ ବାହାରେ ବ୍ୟାପକ ସଂଖ୍ୟାରେ ପୁଲିସ ଫୋର୍ସ ମୁତୟନ କରାଯାଇଛି। ଛାତ୍ର ସଂଗଠନକୁ ଅଟକାଇବା ପାଇଁ ବ୍ୟାରିକେଡ୍‌ ସାଙ୍ଗକୁ, ଲୁହା, ବାଉଁଶ ଓ ବଡ଼ ବଡ଼ କଣ୍ଟେନର ରାସ୍ତା ଉପରେ ରଖି ସିଲ୍‌ କରାଯାଇଛି। ଛାତ୍ରମାନଙ୍କୁ ରୋକିବା ପାଇଁ କୋଲକାତା ପୁଲିସ୍‌ ଅନେକ ରାସ୍ତା ବନ୍ଦ କରି ଦେଇଛି। ଡ୍ରୋନ୍‌ ସହାଯ୍ୟରେ ବିଭିନ୍ନ ସ୍ଥାନ ଉପରେ ନଜର ରଖାଯାଇଛି। ପୁଲିସ୍‌ ଦ୍ୱାରା ଯେଉଁ ବାରିକେଡ୍‌ କରାଯାଇଛି ତାହାକୁ ବିକ୍ଷୋଭକାରୀ ଛାତ୍ରମାନେ ଭାଙ୍ଗିବାରେ ଲାଗି ପଡ଼ିଛନ୍ତି।