କ୍ୟାମ୍ପସରେ ‘ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ୍’ ମନା
ଉଚ୍ଚ ଶିକ୍ଷାନୁଷ୍ଠାନ କ୍ୟାମ୍ପସ୍ରେ ‘ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ୍’ ମନା । ଛାତ୍ର ଛାତ୍ରୀ ଆଣିପାରିବେ ନାହିଁ ଅଣବିଘଟନ ପ୍ଲାଷ୍ଟିକ୍ । ଏ ନେଇ ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ପକ୍ଷରୁ ନିର୍ଦ୍ଦେଶାବଳୀ ଜାରି କରାଯାଇଛି । ଏ ନେଇ ସମସ୍ତ ବିଶ୍ବବିଦ୍ୟାଳୟ କୁଳପତି ଏବଂ କଲେଜ ଅଧ୍ୟକ୍ଷଙ୍କୁ ଚିଠି କରାଯାଇଛି । ଏହି ଗାଇଡଲାଇନ ଅନୁସାରେ ଶିକ୍ଷାନୁଷ୍ଠାନରେ ପ୍ଲାଷ୍ଟିକ୍ ବୋତଲ ବଦଳରେ ଅନ୍ୟ ପରିବେଶ ଉପଯୋଗୀ ଜିନିଷ ବ୍ୟବହର କରିବାନେଇ ନିର୍ଦ୍ଦେଶ ରହିଛି । କ୍ୟାମ୍ପସରେ ଥିବା କ୍ୟାଣ୍ଟିନ୍, ମାର୍କେଟ୍ କମ୍ପ୍ଲେକ୍ସ, ହଷ୍ଟେଲକୁ ଏକକ ବ୍ୟବହୃତ ପ୍ଲାଷ୍ଟିକ୍ ଆସିପାରିବ ନାହିଁ । ଏହାକୁ ନିୟମିତ ବ୍ୟବଧାନରେ ଯାଞ୍ଚ କରାଯିବ । ଛାତ୍ରଛାତ୍ରୀ ଯେଯରି ପ୍ଲାଷ୍ଟିକ୍ ବ୍ୟବହାର ନ କରିବେ ସେଥିଲାଗି ସଚେତନ କରାଯିବ । ଛାତ୍ରଛାତ୍ରୀ, ଅଧ୍ୟାପକଙ୍କୁ ନେଇ ସେମିନାର, କର୍ମଶାଳା ଏବଂ ସଚେତନତା ଅଭିଯାନ କରାଯିବ । ଏଥି ସହିତ ସମସ୍ତ ଉଚ୍ଚ ଶିକ୍ଷାନୁଷ୍ଠାନ ‘ଉନ୍ନତ ଭାରତ ଅଭିଯାନ’ରେ ଗୋଟିଏ ଲେଖାଏଁ ଗ୍ରାମକୁ ପୋଷ୍ୟ ଭାବେ ଗ୍ରହଣ କରିବେ । ଏହି ଗ୍ରାମଗୁଡିକୁ ପ୍ଲାଷ୍ଟିକ୍ ମୁକ୍ତ କରାଯିବ ବୋଲି ଗାଇଡଲାଇନରେ ରହିଛି ।
