ପ୍ରବଳ ବର୍ଷା ପାଇଁ ଜିଲ୍ଲାପ୍ରଶାସନକୁ ସତର୍କ କଲେ ରାଜ୍ୟ ସରକାର

ସମ୍ଭାବ୍ୟ ବାତ୍ୟା ଓ ଲଘୁଚାପଜନିତ ବର୍ଷା ସ୍ଥିତି ନେଇ ରାଜ୍ୟ ସରକାର ପ୍ରସ୍ତୁତ : ରାଜସ୍ବ ମନ୍ତ୍ରୀ

ସମ୍ଭାବ୍ୟ ବାତ୍ୟା ଓ ଲଘୁଚାପଜନିତ ପ୍ରବଳ ବର୍ଷା ପାଇଁ ଜିଲ୍ଲାପ୍ରଶାସନକୁ ସତର୍କ କଲେ ରାଜ୍ୟ ସରକାର । ବିଦେଶୀ ପାଣିପାଗ ମଡେଲ ଓ ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନକୁ ଦେଖି ସବୁ ସ୍ଥିତିର ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ବୋଲି କହିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷାର ସମ୍ଭାବନା ରହିଛି ରାଜସ୍ୱ ମନ୍ତ୍ରୀ ଆହୁରି କହିଛନ୍ତି, ବଙ୍ଗୋପସାଗରରେ ଦୁଇଟି ଲଘୁଚାପ ହେବାର ଆକଳନ ହୋଇଛି। ବାତ୍ୟା ନେଇ ଆମେରିକାର ଏକ ସଂସ୍ଥା ଆକଳନ କରୁଛି । କିନ୍ତୁ ଭାରତୀୟ ପାଣିପାଗ ସଂସ୍ଥା କେବଳ ବର୍ଷା ହେବ ବୋଲି ବର୍ତ୍ତମାନ ସୁଦ୍ଧା ଆକଳନ କରିଛି। ପାଣିପାଗ ବିଭାଗର ରିପୋର୍ଟ ଅନୁଯାୟୀ ଦକ୍ଷିଣ ଓଡ଼ିଶାରେ ବର୍ଷା ଅଧିକ ହେବାର ସମ୍ଭାବନା ରହିଛି । ତେଣୁ ତାକୁ ରେଡ ଆଲର୍ଟରେ ରଖାଯାଇଛି । ଉପକୂଳ ଜିଲ୍ଲା ଗୁଡ଼ିକୁ ଅରେଞ୍ଜ ଆଲର୍ଟରେ ରଖିଛୁ। ବର୍ଷା ଅଧିକ ପରିମାଣରେ ହେବାର ସମ୍ଭାବନା ଥିବାରୁ ଆମେ ଜିଲ୍ଲା ପ୍ରଶାସନ ଆଲର୍ଟରେ ରଖିଛୁ । ପ୍ରକୋପ ଯଦି ବେଶୀ ହୁଏ ସେଥିପାଇଁ ଆମେ ପ୍ରସ୍ତୁତ କମ ହେଲେ ବି ତାର ମୁକାବିଲା କରାଯିବ ।