ଆତ୍ମସମର୍ପଣ କରିଥିବା ନକ୍ସଲଙ୍କୁ ୬୦ ଦିନ ସୁଦ୍ଧା ମିଳିବ ଥଇଥାନ ସୁବିଧା
ନକ୍ସଲ ମୁକ୍ତ ଦେଶ ଓ ଓଡ଼ିଶା ଗଠନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ନୂଆ ରୋଡ୍ମ୍ୟାପ୍ ପ୍ରସ୍ତୁତ କରାଯାଇଛି । ଅନ୍ୟ ରାଜ୍ୟର ନକ୍ସଲଙ୍କୁ ଆତ୍ମସମର୍ପଣ ପାଇଁ ଆହ୍ୱନ ଦେଇଛନ୍ତି ରାଜ୍ୟ ସରକାର । ଗତ ୨ମାସରେ ଦ୍ୱିତୀୟ ଥର ପାଇ ସଂଶୋଧିତ କରାଯାଇଛି ଆତ୍ମସମର୍ପଣ ପ୍ୟାକେଜ୍ । ଏଣିକି ଆତ୍ମସମର୍ପଣର ୬୦ଦିନ ସୁଦ୍ଧା ମିଳିବ ଥଇଥାନ ସୁବିଧା । ଏନେଇ ରାଜ୍ୟ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି ।ଥଇଥାନ ପ୍ୟାକେଜ ବା ପୁନର୍ବାସ ନୀତିରେ ନୂଆ ନିୟମ ଆଣିଛନ୍ତି ରାଜ୍ୟ ସରକାର । ବିଜ୍ଞପ୍ତିରେ କୁହାଯାଇଛି ଯେ ଓଡ଼ିଶାରେ ସକ୍ରିୟ ନକ୍ସଲଙ୍କୁ ମିଳିବ ଯୋଜନାର ସବୁ ସୁବିଧା । ମୁଣ୍ଡଜାମିନ ପୁରସ୍କାର ରାଶିକୁ ଅତ୍ୟଧିକ ବୃଦ୍ଧି କରିଛନ୍ତି ସରକାର । କେନ୍ଦ୍ରୀୟ କମିଟି ବା ପଲିଟବ୍ୟୁରୋ ସଭ୍ୟଙ୍କୁ ସର୍ବାଧିକ ୧.୧୦ କୋଟି ମିଳିବ । ରାଜ୍ୟ କମିଟି ସଦସ୍ୟ ଆତ୍ମସମର୍ପଣ କରିଲେ ୫୫ ଲକ୍ଷ, ଆଂଚଳିକ କମିଟି ସଭ୍ୟ ୩୩ ଲକ୍ଷ ଟଙ୍କା ପାଇବେ ବୋଲି ଧାର୍ଯ୍ୟ କରାଯାଇଛି । ଏହାସହିତ ୫ ଲକ୍ଷରୁ ଅଧିକ ପୁରସ୍କାର ଥିବା ନକ୍ସଲଙ୍କୁ ଅତିରିକ୍ତ ୧୦ ଲକ୍ଷ ଫିକ୍ସଡ୍ ଡିପୋଜିଟ୍ ଦିଆଯିବ ।
ଅସ୍ତ୍ରଶସ୍ତ୍ର ସହ ଆତ୍ମସମର୍ପଣ କରୁଥିବା କ୍ୟାଡର୍ଙ୍କ ପାଇଁ ସ୍ୱତନ୍ତ୍ର ପ୍ୟାକେଜ୍ ରହିଛି । ଏଲ୍ଏମ୍ଜି ବନ୍ଧୁକ ପାଇଁ ୪.୯୫ ଲକ୍ଷ ଓ ଏକେ-୪୭ ପାଇଁ ୩.୩୦ ଲକ୍ଷ ଟଙ୍କା ରହିଛି । ଇନସାସ୍ ବା ଏସ୍ଏଲ୍ଆର୍ ରାଇଫଲ୍ ପାଇଁ ୧.୬୫ ଲକ୍ଷ ଟଙ୍କା ଅଲଗା ଦିଆଯିବ, ଗୋଟିଏ ଗ୍ରେନେଡ୍ ପାଇଁ ୫୫୦ ଟଙ୍କା ଓ ପ୍ରତି ଗୁଳି ପାଇଁ ୫୫ ଟଙ୍କା ପୁରସ୍କାର, କୌଣସି ଅସ୍ତ୍ର ନଥାଇ ଆତ୍ମସମର୍ପଣ କଲେ ଅତିରିକ୍ତ ୨୫ ହଜାର ଟଙ୍କା ପ୍ରୋତ୍ସାହନ ରାଶି ପ୍ରଦାନ କରିବେ ସରକାର । ଚଳିତ ବର୍ଷ ମାର୍ଚ୍ଚ ମାସ ଶେଷ ସୁଦ୍ଧା ଦେଶକୁ ନକ୍ସଲମୁକ୍ତ କରିବା ଲକ୍ଷ୍ୟରେ ରହିଛନ୍ତିି ସରକାର ।
