କ୍ୟାବିନେଟରେ ୫ଟି ପ୍ରସ୍ତାବକୁ ଅନୁମୋଦନ

‘ଗୋମାତା’ରେ ୩୪୨କୋଟି, କୁକୁଡ଼ା ଚାଷ ପାଇଁ ୧୦୩୧କୋଟି

ରାଜ୍ୟ କ୍ୟାବିନେଟ୍ ବୈଠକରେ ୫ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି । ରାଜ୍ୟ ଯୋଜନା ‘ପ୍ରାଣୀ ସମ୍ପଦ ସମୃଦ୍ଧି ଯୋଜନା’ ଅନ୍ତର୍ଗତ ‘କୁକୁଟ୍ଟ ଉନ୍ନୟନ’ ଉପଯୋଜନାରେ ୨୦୨୪-୨୫ରୁ ୨୦୨୮-୨୯ ମସିହା ପର୍ଯ୍ୟନ୍ତ ୫ବର୍ଷ ପାଇଁ ମୋଟ ୧୦୩୧.୧୯କୋଟି ଟଙ୍କା ଖର୍ଚ୍ଚ ହେବ । ଏଥିରେ ୩ଲକ୍ଷ ୭୩ହଜାର ୯୨୮ଜଣ ଚାଷୀ ଓ ମହିଳା ଏସଏଚଜି ଉପକୃତ ହେବେ ଏବଂ ରାଜ୍ୟରେ ଅତିରିକ୍ତ ଭାବେ ବାର୍ଷିକ ୯୫.୫୮ ଏମଟିଏମ୍ କୁକୁଡ଼ା ମାଂସ ଓ ଦୈନିକ ୫.୫ଲକ୍ଷ ଅଣ୍ଡା ଉତ୍ପାଦନ ହେବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି ।

ସେହିପରି ନୂଆ ରାଜ୍ୟ ଯୋଜନା ଗୋମାତା(ଗୋଲ୍ ଫର ମ୍ୟାନେଜମେଂଟ ଆଣ୍ଡ ଟ୍ରିଟମେଂଟ ଅଫ ଆନିମଲ)କୁ କ୍ୟାବିନେଟ୍ ମଞ୍ଜୁରୀ ମିଳିଛି । ୨୦୨୪-୨୫ରୁ ୨୦୨୬-୨୭ ମସିହା ପର୍ଯ୍ୟନ୍ତ ୩ବର୍ଷ ପାଇଁ ଏହି ଯୋଜନାରେ ମୋଟ ୩୪୨.୬୫କୋଟି ଟଙ୍କା ବ୍ୟୟବରାଦ ରହିଛି । ଏହି ଯୋଜନାରେ ରାଜ୍ୟ ଚାଷୀମାନଙ୍କୁ ପ୍ରାଣୀ ଚିକିତ୍ସାଳୟ, ପ୍ରାଣୀଧନ ସହାୟତା କେନ୍ଦ୍ର ଓ ଭ୍ରାମ୍ୟମାଣ ପ୍ରାଣୀଚିକିତ୍ସା ସେବା ମାଧ୍ୟମରେ ଚିକିତ୍ସା, ଟୀକାକରଣ, ରୋଗ ନିୟନ୍ତ୍ରଣ ଆଦି ସେବା ଯୋଗାଇ ଦିଆଯିବ । ଏହି ଯୋଜନାରେ ବାର୍ଷିକ ଅଢ଼େଇ କୋଟି ଟୀକାକରଣ ଓ ବାର୍ଷିକ ୧.୩୦କୋଟି ପ୍ରାଣୀଧନର ଚିକିତ୍ସା କରାଯାଇପାରିବ ।

ଅନ୍ୟପକ୍ଷରେ ‘ମୁଖ୍ୟମନ୍ତ୍ରୀ ମତ୍ସ୍ୟଜୀବୀ କଲ୍ୟାଣ ଯୋଜନା’ ଅନ୍ତର୍ଗତ ୧୭ଟି ଉପଯୋଜନାରେ ୨୨୩୯କୋଟି ଟଙ୍କା ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ ମିଳିଛି । ୨୦୨୪-୨୫ରୁ ୨୦୨୮-୨୯ ମସିହା ମଧ୍ୟରେ ଏହି ଅର୍ଥ ଖର୍ଚ୍ଚ ହେବ । ଏହି ଯୋଜନା ଦ୍ୱାରା ରାଜ୍ୟରେ ମତ୍ସ୍ୟ ଉତ୍ପାଦନ ବୃଦ୍ଧି ସହ ରପ୍ତାନୀ ବୃଦ୍ଧି ମାଧ୍ୟମରେ ମତ୍ସ୍ୟଜୀବୀଙ୍କ ଆୟ ବୃଦ୍ଧି ପାଇଁ ଲକ୍ଷ୍ୟ ରଖାଯାଇଛି । ଆଗାମୀ ୫ବର୍ଷରେ ଏହି ଯୋଜନାରେ ୬,୬୭,୫୦୦ ମତ୍ସ୍ୟଜୀବୀ ଓ ୭,୩୨,୫୦୦ ମହିଳା ଏସଏଚଜିଙ୍କ ସମେତ ମୋଟ ୧୪ଲକ୍ଷ ମତ୍ସ୍ୟଜୀବୀ ଉପକୃତ ହେବେ ବୋଲି ବିଭାଗ ପକ୍ଷରୁ କୁହାଯାଇଛି ।

ମତ୍ସ୍ୟଚାଷ ସମ୍ବନ୍ଧୀୟ ରାଜ୍ୟ ଯୋଜନା ‘ଭିତ୍ତିଭୂମି ବିକାଶ’ରେ ୨୦୨୪-୨୫ରୁ ୨୦୨୬-୨୭ ମସିହା ପର୍ଯ୍ୟନ୍ତ ୩ବର୍ଷରେ ଭିତ୍ତିଭୂମି ବିକାଶ, ଅଫିସ ଗୃହନିର୍ମାଣ, ରକ୍ଷଣାବେକ୍ଷଣ ଓ ମରାମତିରେ ମୋଟ ୬୯୬.୨୧କୋଟି ଟଙ୍କା ଖର୍ଚ୍ଚ ପାଇଁ ବ୍ୟୟବରାଦ କରାଯାଇଛି । ଏହି ଯୋଜନାରେ ଆଗାମୀ ୩ବର୍ଷ ମଧ୍ୟରେ ୩୧ଟି ମାଛ ବଜାର,୫୮ଟି ମାଛ ଜେଟି ଓ ଅବତରଣ କେନ୍ଦ୍ର, ୧୪୨ଟି ମାଛ ଫାର୍ମ, ୨୬୬ଟି ସରକାରୀ ଅଫିସ୍ ଗୃହ ଓ ୧୨୨ଟି ଅନ୍ୟାନ୍ୟ ଭିତ୍ତିଭୂମିର ବିକାଶ ଓ ନବୀକରଣ ପାଇଁ ଲକ୍ଷ୍ୟ ରଖାଯାଇଛି । ଏହାଦ୍ୱାରା ୩ବର୍ଷରେ ପ୍ରାୟ ୧୬ଲକ୍ଷ ମତ୍ସ୍ୟଜୀବୀ ଉପକୃତ ହେବେ ବୋଲି ଜଣାପଡ଼ିଛି ।

ପ୍ରାଣୀସମ୍ପଦ ସମ୍ବନ୍ଧୀୟ ରାଜ୍ୟ ଯୋଜନା ‘ଭିତ୍ତିଭୂମି ବିକାଶ’ରେ ୨୦୨୪-୨୫ରୁ ୨୦୨୬-୨୭ ମସିହା ପର୍ଯ୍ୟନ୍ତ ୩ବର୍ଷରେ ପ୍ରାଣୀ ଚିକିତ୍ସାଳୟ, ପ୍ରାଣୀଧନ ସହାୟକ କେନ୍ଦ୍ର ଓ ଅନ୍ୟାନ୍ୟ ପ୍ରାଣସେବା ଅନୁଷ୍ଠାନଗୁଡ଼ିକର ନୂଆ ନିର୍ମାଣ, ମରାମତି ଓ ନବୀକରଣ କାର୍ଯ୍ୟରେ ମୋଟ ୪୪୯.୭୧କୋଟି ଟଙ୍କା ଖର୍ଚ୍ଚ ପାଇଁ ବ୍ୟୟବରାଦ କରାଯାଇଛି । ଏହାଦ୍ୱାରା ପଶୁପାଳନ କ୍ଷେତ୍ରରେ ଉନ୍ନତ ସେବା ଯୋଗାଇବା ସମ୍ଭବପର ହୋଇପାରିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି ।

ରାଜ୍ୟ କ୍ୟାବିନେଟରେ ‘ଜଳକ୍ଷେତ୍ର ଭିତ୍ତିଭୂମି ଉନ୍ନୟନ କାର୍ଯ୍ୟକ୍ରମ’ ସମ୍ପ୍ରସାରଣକୁ ମଧ୍ୟ ଅନୁମୋଦନ ମିଳିଛି । ଏହି କାର୍ଯ୍ୟକ୍ରମ ଅନ୍ତର୍ଗତ ଆଗାମୀ ୫ବର୍ଷ ମଧ୍ୟରେ ୨୦୨୪-୨୫ରୁ ୨୦୨୮-୨୯ ମସିହା ମଧ୍ୟରେ ୯୬୫୨.୨୪କୋଟି ଟଙ୍କା ବ୍ୟୟବରାଦ ଲକ୍ଷ୍ୟ ରଖାଯାଇଛି । ୬୪୩୫ହେକ୍ଟର ସେଚାଂଚଳର ସୁଦୃଢ଼ୀକରଣ ସହିତ ୧୫୮୩୧୮ ହେକ୍ଟର ଅତିରିକ୍ତ ସେଚାଂଚଳ ସୃଷ୍ଟି କରାଯାଇ ରାଜ୍ୟରେ ଜଳସେଚନ ବିକାଶକୁ ତ୍ୱରାନ୍ୱିତ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି । ଏହି ଯୋଜନାରେ ନୂଆ ଜଳସେଚନ ପ୍ରକଳ୍ପର ଭିତ୍ତିଭୂମି ସ୍ଥାପନ, ସର୍ଭେ ଓ ଅନୁସନ୍ଧାନ ତଥା ପର୍ଯ୍ୟାପ୍ତ ପାଣ୍ଠିର ବ୍ୟବସ୍ଥା ସହିତ ନିର୍ମାଣାଧୀନ ଜଳସେଚନ ପ୍ରକଳ୍ପଗୁଡ଼ିକୁ ନିର୍ଦ୍ଦିଷ୍ଟ ଅବଧିରେ ସମ୍ପୂର୍ଣ୍ଣ କରିବାରେ ସହାୟକ ହେବ । ବନ୍ୟା ଓ ମରୁଡ଼ି ପରିସ୍ଥିତିକୁ ନିୟନ୍ତ୍ରଣ କରାଯିବା ସହିତ କୃଷକମାନଙ୍କୁ ପର୍ଯ୍ୟାୟକ୍ରମେ ଜଳ ଯୋଗାଇବା ସମ୍ଭବପର ହୋଇପାରିବ ବୋଲି ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।

Leave a Reply

Your email address will not be published. Required fields are marked *