କାଲି ସ୍ପଷ୍ଟ ହେବ ମେଣ୍ଟ ଚିତ୍ର

ଆଜି ଅମିତ ଶାହଙ୍କ ଘରେ ହେଲା ବୈଠକ, କାଲି ନବୀନ ନିବାସରେ ହେବ ମିଟିଂ

ଏବେ ବି ଲାଗି ରହିଛି ବିଜେପି-ବିଜେଡି ମେଣ୍ଟ। ଅମିତ ଶାହଙ୍କ ଘରେ ବିଜେପି ରାଜ୍ୟ ନେତୃତ୍ୱଙ୍କ ବୈଠକ। ଆସନ୍ତାକାଲି ନବୀନ ନିବାସରେ ବିଜେଡିର ବଡ଼ ବୈଠକ। ଆଜି ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଛନ୍ତି ଦିଲ୍ଲୀରେ ଡେରା ପକାଇଥିବା ରାଜ୍ୟ ବିଜେପି ନେତୃତ୍ୱ । ରାଜ୍ୟ ସଭାପତି ମନମୋହନ ସାମଲ, ସଙ୍ଗଠନ ସଂପାଦକ ମାନସ ମହାନ୍ତି, ନିର୍ବାଚନ ପ୍ରଭାରୀ ବିଜୟ ପାଲ୍ ସିଂ ତୋମାର, ସହ ପ୍ରଭାରୀ ଲତା ଉସେଣ୍ଡିଙ୍କ ସହ ଆଲୋଚନା କରିଛନ୍ତି ଶାହ। ବୈଠକରେ ମେଣ୍ଟ ନେଇ ଫୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିବା ବେଳେ, ମେଣ୍ଟ ହେଉଛି ନା ନାହିଁ ସେନେଇ କିନ୍ତୁ ସ୍ପଷ୍ଟ ସୂଚନା ମିଳିପାରି ନାହିଁ। କୁହାଯାଉଛି ଖୁବ୍ ଶୀଘ୍ର ଏନେଇ ସ୍ପଷ୍ଟ ଚିତ୍ର ଆସିପାରେ। ଅନ୍ୟପଟେ ଆସନ୍ତାକାଲି ନବୀନ ନିବାସରେ ବିଜେଡିର ମଧ୍ୟ ବଡ଼ ବୈଠକ ଡକାଯାଇଛି। ସମସ୍ତ ବରିଷ୍ଠ ନେତାଙ୍କୁ ଡକାଇଛନ୍ତି ସୁପ୍ରିମୋ। କୁହାଯାଉଛି ଏହି ବୈଠକରେ ମେଣ୍ଟ ନେଇ ସ୍ପଷ୍ଟ ସୂଚନା ମିଳିପାରେ। ୬ ତାରିଖରୁ ମେଣ୍ଟ କସରତ ଆରମ୍ଭ ହୋଇଥିଲେ ବି ପ୍ରଶ୍ନ ହେଉଛି ଏହା କେଉଁଠି ଅଟକିଛି? କୁହାଯାଉଛି ଆସନ ଭାଗବଣ୍ଟା ସହ ପାୱାର ଡିଷ୍ଟ୍ରିବ୍ୟୁସନ ବି ମେଣ୍ଟ ପ୍ରକ୍ରିୟାରେ କଣ୍ଟା ହୋଇଛି। ସିଟ୍ ବୁଝାମଣାରେ ଉଭୟ ଦଳ ପରସ୍ପର ସହ ସହମତି ହୋଇ ପାରୁନାହାନ୍ତି, ଯଦିଓ ବିଜେପି-ବିଜେଡି ଲୋକସଭାରେ ୧୩-୮ ଆଉ ବିଧାନସଭାରେ ୪୯-୯୮ ନେଇ ଚର୍ଚ୍ଚା ଲାଗି ରହିଛି।