ପରିକ୍ରମା ପ୍ରକଳ୍ପ ଲୋକାର୍ପଣ, ୮୫୭ ମନ୍ଦିରକୁ ସାଦର ନିମନ୍ତ୍ରଣ
ଜାନୁଆରୀ 17ରେ ହେବ ପରିକ୍ରମା ପ୍ରକଳ୍ପ ଲୋକାର୍ପଣ । ଏଥିପାଇଁ 20ରୁ ଆରମ୍ଭ ହେବ ଅତିଥି ନିମନ୍ତ୍ରଣ ପ୍ରକ୍ରିୟା। ୮୫୭ ମନ୍ଦିରକୁ ବି ହେବ ସାଦର ନିମନ୍ତ୍ରଣ । ଭବ୍ୟ ଉତ୍ସବ ପାଇଁ ଶ୍ରୀମନ୍ଦିର ପ୍ରଶାସନ ବି ଜୋରସରରେ ଲାଗିଛି । କେଉଁ ବିଶିଷ୍ଟ ବ୍ୟକ୍ତି ଅତିଥି ହେବେ, କେଉଁ ସବୁ ମନ୍ଦିରକୁ ନିମନ୍ତ୍ରଣପତ୍ର ପଠାଯିବ ସେ ତାଲିକା ସରିଲାଣି । ସୂଚନା ଅନୁସାରେ-ରାଜ୍ୟ ଓ ରାଜ୍ୟ ବାହାରୁ ୭୪୬ଟି ଜଗନ୍ନାଥ ମନ୍ଦିର ଓ ୧୧୧ଟି ଅନ୍ୟ ପ୍ରମୁଖ ଧାର୍ମିକସ୍ଥଳୀଙ୍କୁ ମିଶାଇ ମୋଟ ୮୫୭ ଦେବସ୍ଥାନକୁ ନିମନ୍ତ୍ରଣ ପତ୍ର ପଠାଯିବ । ଯେଉଁଥିରେ ଆମ ରାଜ୍ୟର ବାଲେଶ୍ୱର ଜିଲ୍ଲାରୁ ସର୍ବାଧିକ ୬୮, ଗଂଜାମରୁ ୬୦, କଟକ ଓ ଖୋର୍ଦ୍ଧାରୁ ୫୮ଟି ଲେଖାଏଁ ଜଗନ୍ନାଥ ମନ୍ଦିରକୁ ବି ନିମନ୍ତ୍ରଣପତ୍ର ପଠାଯିବ । ବଡ଼ ଅତିଥିମାନଙ୍କ ମଧ୍ୟରେ ୪ ଧାମର ଶଙ୍କରାଚାର୍ଯ୍ୟ, ପ୍ରମୁଖ ଧର୍ମପୀଠମାନଙ୍କରୁ ସାଧୁସନ୍ଥଙ୍କ ସହ ନେପାଳ ରାଜାଙ୍କୁ ବି ଡକାଯିବ । ଏଥିପାଇଁ ଆସନ୍ତା ୨୦ ତାରିଖରୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ଥିରୀକୃତ ଟିମ୍ ଭାଗ ଭାଗ ହୋଇ ବାହାରିବେ । ସେମାନେ ଅତିଥିଙ୍କୁ ଏକ ଇନଭିଟେସ୍ କିଟ୍ ପ୍ରଦାନ କରିବେ । ଯେଉଁଥିରେ ଶ୍ରୀମନ୍ଦିର ପ୍ରଶାସନର ନିମନ୍ତ୍ରଣପତ୍ର ସହ, ମହାପ୍ରଭୁଙ୍କ ଓଲାଗି ଧ୍ୱଜା, ମହାପ୍ରସାଦ ଓ ପରିକ୍ରମା ପ୍ରକଳ୍ପର ବିବରଣୀ ପୁସ୍ତିକା ସଜେଇ ରଖାଯିବ ।
