SpiceJet ବିମାନର ଇଞ୍ଜିନ୍ ଫେଲ୍, ଦିଲ୍ଲୀରେ ଜରୁରୀ ଅବତରଣ
୧୫୦ ଯାତ୍ରୀଙ୍କୁ ନେଇ ଯାଉଥିବା ସ୍ପାଇସଜେଟ୍ ବିମାନର ଜରୁରୀ ଅବତରଣ । ଦିଲ୍ଲୀ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କରିଛି ସ୍ପାଇସଜେଟର ଏକ ବିମାନ । କୁହାଯାଉଛି ଯେ ବିମାନର ଇଞ୍ଜିନ୍ ଫେଲ୍ ହୋଇଯାଇଥିବା କାରଣରୁ ବିମାନଟି ଏମର୍ଜେନ୍ସି ଲ୍ୟାଣ୍ଡିଂ କରିଛି । ଏହା ଦିଲ୍ଲୀରୁ ଲେହ ଅଭିମୁଖେ ଉଡ଼ାଣ ଭରିଥିଲା । ହେଲେ ଉଡ଼ାଣ ଭରିବାର କିଛି ସମୟ ପରେ ବିମାନଟିକୁ ଫେରିବାକୁ ପଡ଼ିଥିଲା ।ବିମାନ (SG121) ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଉଡ଼ାଣ ଆରମ୍ଭ କରିଥିଲା । ଏହି ସମୟରେ କ୍ରୁ ଏକ ଇଞ୍ଜିନରେ ଯାନ୍ତ୍ରିକ ସମସ୍ୟା ଦେଖିବାକୁ ପାଇଥିଲେ । ସଙ୍ଗେ ସଙ୍ଗେ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ, ପାଇଲଟମାନେ ବିମାନକୁ ଦିଲ୍ଲୀ ଫେରାଇ ଆଣିବାକୁ ନିଷ୍ପତ୍ତି ନେଇଥିଲେ ।ଅବତରଣକୁ ପ୍ରାଥମିକତା ଦେବା ଏବଂ ମେଡିକାଲ ଓ ଅଗ୍ନିଶମ ସେବାର ଉପଲବ୍ଧତା ସୁନିଶ୍ଚିତ କରିବା ପାଇଁ ଦିଲ୍ଲୀ ବିମାନବନ୍ଦରରେ ଏମର୍ଜେନ୍ସି ଘୋଷଣା କରାଯାଇଥିଲା । ସ୍ପାଇସଜେଟ୍ ଇଞ୍ଜିନ ଫେଲ୍ ହେବାର କାରଣ ସମ୍ପର୍କରେ ଏ ପର୍ଯ୍ୟନ୍ତ କୌଣସି ଅଫିସିଆଲ୍ ବିବୃତ୍ତି ଜାରି କରିନାହିଁ । ଏକ ମେଣ୍ଟେନାନ୍ସ ଦଳ ଦ୍ୱାରା ବିମାନଟିକୁ ଯାଞ୍ଚ କରାଯିବାର ଆଶା କରାଯାଉଛି ।
