ଜାଗର ପାଇଁ ସ୍ଵତନ୍ତ୍ର ବୈଠକ, ରାଜଧାନୀରେ ଟ୍ରାଫିକ କଟକଣା
ରାତି ପାହିଲେ ମହାଶିବରାତ୍ରୀ । ଷ୍ଟେଟ ଗେଷ୍ଟ ହାଉସ ପ୍ରଭୁ ଲିଙ୍ଗରାଜଙ୍କ ଜାଗର ଯାତ୍ରା ପାଇଁ ହେଲା ସ୍ଵତନ୍ତ୍ର ବୈଠକ। ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିଲା । ଏକାମ୍ର ବିଧାୟକ ବାବୁ ସିଂ, ମେୟର ସୁଲୋଚନା ଦାଶ ଙ୍କ ସହ କିଛି କର୍ପୋରେଟର ଯୋଗ ଦେଇଥରଲେ । ୨ ବ୍ରାହ୍ମଣ ନିଯୋଗ, ବଡୁ ନିଯୋଗ ଓ ପୂଜାପଣ୍ଡା ନିଯୋଗର ସମ୍ପାଦକ ମାନେ ଯୋଗ ଦେଇଥିଲେ । ସମସ୍ତ ନୀତିକାନ୍ତି ଯେପରି ସୂଚାରୁ ରୂପେ ସଂପନ୍ନ ହେବ ଏବଂ ଭକ୍ତ ଯେଭଳି ଶୃଙ୍ଖଳିତ ଭାବେ ଦର୍ଶନ କରିବେ ଓ ଦୀପ ଜାଳିବେ, ସେନେଇ ବହୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ରାତି ୧୦ଟାରେ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମହାଦୀପ ଉଠିବ। ସମସ୍ତ ସେବାୟତ ସହଯୋଗ କରିବେ । ନିର୍ଦ୍ଧାରିତ ସମୟ ରେ ମହାଦୀପ ଉଠିବ ବୋଲି କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।
ମହାଶିବରାତ୍ରୀ ପାଇଁ କମିଶନରେଟ୍ ପୋଲିସ ପକ୍ଷରୁ ରାଜଧାନୀରେ ଲାଗୁ ହୋଇଛି ଟ୍ରାଫିକ କଟକଣା। ଶ୍ରୀଲିଙ୍ଗରାଜଙ୍କ ମହାଶିବରାତ୍ରୀ ଉପଲକ୍ଷେ ଯାନବାହନ ଚଳାଚଳ ତଥା ପଥଚାରୀଙ୍କ ସୁବିଧା ପାଇଁ କମିଶନରେଟ୍ ପୋଲିସ ପକ୍ଷରୁ ଟ୍ରାଫିକ୍ କଟକଣା ଲାଗୁ କରାଯାଇଛି। ଏହି ସମୟରେ ଯେଭଳି ରାସ୍ତାରେ ଭିଡ଼ ନହୁଏ କିମ୍ବା ଜାମ୍ କୁ ନେଇ କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନହୁଏ, ତାହା ଉପରେ କମିଶନରେଟ୍ ପୋଲିସ ପକ୍ଷରୁ କଡ଼ା ନଜର ରଖାଯାଇଛି। ରଥ ରୋଡ୍ ଏବଂ ପୁନମାଗେଟ୍ ପଟୁ ଲିଙ୍ଗରାଜ ମନ୍ଦିର ଆଡ଼କୁ ଆସୁଥିବା ଗାଡ଼ି ଗୁଡ଼ିକ ବଢ଼େଇବାଙ୍କ ଛକଠାରୁ ଆଗକୁ ନଯାଇ ବିଏମ୍ ହାଇସ୍କୁଲ ପଡ଼ିଆରେ ପାର୍କିଂ କରିବେ।ସେହିପରି କେଦାରଗୌରୀ ମନ୍ଦିର ପଟୁ ଓ ସାନିଟାରୀୟମ ଛକ ପଟୁ ଲିଙ୍ଗରାଜ ମନ୍ଦିର ଆଡ଼କୁ ଆସୁଥିବା ଗାଡ଼ିଗୁଡ଼ିକ କୋଟିତୀର୍ଥ ଗଳି ଦେଇ କଚେରୀ ପିଣ୍ଡି ରାସ୍ତାରେ ଯାଇ ତରଙ୍ଗ କ୍ଲବ ପଛପଟେ ଥିବା ଖାଲି ସ୍ଥାନରେ ଗାଡ଼ି ରଖିପାରିବେ। ଅନ୍ୟପକ୍ଷରେ ପାର୍କିଂ ପାଇଁ ୧୨ଟି ସ୍ଥାନ ଚିହ୍ନଟ ହୋଇଛି। ସମସ୍ତ ନୀତିକାନ୍ତି ଯେପରି ସୂଚାରୁ ରୂପେ ସଂପନ୍ନ ହେବ ଏବଂ ଭକ୍ତ ଯେଭଳି ଶୃଙ୍ଖଳିତ ଭାବେ ଦର୍ଶନ କରିବେ ଓ ଦୀପ ଜାଳିବେ, ସେନେଇ ବହୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଶ୍ରଦ୍ଧାଳୁଙ୍କ ସୁରକ୍ଷା ଓ ସୁପରିଚାଳନା ପାଇଁ ୩୫ ପ୍ଲାଟୁନ ପୋଲିସ ଫୋର୍ସ ଓ ୨ଶହରୁ ଅଧିକ ପୋଲିସ ଅଧିକାରୀ ନିଯୁକ୍ତ ହେବେ ବୋଲି ଡିସିପି ପିନାକ ମିଶ୍ର କହିଛନ୍ତି।
