ଆସନ୍ତା ୨୧ରେ ବାଚସ୍ପତି ନିର୍ବାଚନ

ବାଚସ୍ପତି ରେସରେ ଅନେକ, କାହାକୁ ବିଜେଡି କରିବ ଭରସା ?

ବାଚସ୍ପତି ନିର୍ବାଚନ ପାଇଁ ଜୋର ଧରିଲାଣି ରାଜନୀତି । ଆସନ୍ତା ୨୧ ତାରିଖରେ ଓଡ଼ିଶା ବିଧାନସଭାର ବାଚସ୍ପତି ନିର୍ବାଚନ ଅନୁଷ୍ଠିତ ହେବ । ମେ ମାସରେ ହଠାତ ବାଚସ୍ପତି ପଦରୁ ଇସ୍ତଫା ଦେଇଥିଲେ ବିକ୍ରମ କେଶରୀ ଆରୁଖ । ଗଞ୍ଜାମ ଜିଲ୍ଲା ଭଂଜନଗରରୁ ୫ଥର ବିଧାୟକ ହୋଇଥିବା ବିକ୍ରମ ଆରୁଖ ନିଜ ଇସ୍ତଫାକୁ ନେଇ କହିଥିଲେ ଯେ ସେ ବ୍ୟକ୍ତିଗତ କାରଣ ପାଇଁ ବାଚସ୍ପତି ପଦରୁ ଇସ୍ତଫା ଦେଇଛନ୍ତି । ମାତ୍ର ବର୍ଷକ ପାଇଁ ଏହି ପଦରେ ରହିବା ପରେ ସେ ନିଜର ଇସ୍ତଫା ପତ୍ର ଉପବାଚସ୍ପତି ରଜନୀକାନ୍ତ ସିଂହଙ୍କ ପାଖକୁ ପଠାଇଥିଲେ । ସେବେଠୁ ବାଚସ୍ପତି ପଦ ଖାଲି ପଡିଛି । ତେବେ ବିକ୍ରମ କେଶରୀ ଆରୁଖଙ୍କ ଇସ୍ତଫା ପରେ କିଏ ହେବେ ବାଚସ୍ପତି ?

ବାଚସ୍ପତି ନିର୍ବାଚନ ପାଇଁ ୧୮ ତାରିଖରେ ପ୍ରାର୍ଥୀପତ୍ର ଦାଖଲ ହେବ। ତେବେ ପରବର୍ତ୍ତୀ ବାଚସ୍ପତି କିଏ ହେବ ସେନେଇ ଚର୍ଚ୍ଚା ଜାରି ରହିଥିବା ବେଳେ ଏହି ଚର୍ଚ୍ଚା ମଧ୍ୟରେ ନୃସିଂହ ସାହୁ, ପ୍ରଫୁଲ୍ଲ ସାମଲ, ଦେବୀ ମିଶ୍ର ଓ ସ୍ନେହାଙ୍ଗିନୀ ଛୁରିଆଙ୍କ, ଆମର ଶତପଥି ନାଁ ଆସୁଥିବା ଦେଖିବାକୁ ମିଳିଛି । ସବୁଠୁ ବଡକଥା ହେଲା କି ଆଗାମୀ ୨୨ ତାରଖରୁ ବିଧାସଭାର ମୌସୁମୀ ଅଧିବେଶନ ଆରମ୍ଭ ହେବ। ଏହା ଅକ୍ଟୋବର ୪ ଯାଏ ଚାଲିବାକୁ ଥିବା ବେଳେ ବାଚସ୍ପତିଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ । ଯେଉଁଥିପାଇଁ ଆସନ୍ତା ୨୧ ତାରିଖରେ ହେବାକୁ ଯାଉଛି ଓଡ଼ିଶା ବିଧାନସଭାର ବାଚସ୍ପତି ନିର୍ବାଚନ।