ଜୀବନ ଯୁଦ୍ଧରେ ହାରିଗଲେ ବାଲେଶ୍ବର ଏଫଏମ ଛାତ୍ରୀ

ଭୋଗରାଇରେ ହେବ ସୌମ୍ୟାଶ୍ରୀଙ୍କ ଶେଷକୃତ୍ୟ

ଜୀବନ ଯୁଦ୍ଧରେ ହାରିଗଲେ ବାଲେଶ୍ବର ଏଫଏମ ଛାତ୍ରୀ । ମୃତ୍ୟୁ ସହିତ ୬୦ ଘଣ୍ଟାର ଲଢ଼େଇରେ ଆଖି ବୁଜିଲେ ।  ଭୁବନେଶ୍ବର ଏମସରେ ଆଖି ବୁଜିଛନ୍ତି ସୌମ୍ୟାଶ୍ରୀ ବିଶି । ଗତକାଲି ବିଳମ୍ବିତ ରାତିରେ ଏମସ କର୍ତ୍ତୃପକ୍ଷ ତାଙ୍କୁ କ୍ଲିନିକାଲ ଡେଥ ଘୋଷଣା କରିଛନ୍ତି ।  ଏହାକୁ ନେଇ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।  ମୃତ ଶରୀରକୁ ବ୍ୟବଚ୍ଛେଦ ପରେ ସ୍ଵତନ୍ତ୍ର ପୋଲିସ୍ ଏସ୍କଟ ରେ ବାଲେଶ୍ଵର ଅଣାଯାଇଛି । ବାଲେଶ୍ଵର ଜିଲ୍ଲା ଭୋଗରାଇରେ ମୃତ ଛାତ୍ରୀଙ୍କ ଘର ।  ଆଜି ଛାତ୍ରୀଙ୍କ ଗାଁ ମଶାଣିରେ ଶେଷକୃତ୍ୟ ସଂପନ୍ନ ହେବ । ସୂଚନା ଅନୁସାରେ ଗତ ୧୨ ତାରିଖ ମଧ୍ୟାହ୍ନରେ ଏଫଏମ କଲେଜ ପରିସରରେ ଛାତ୍ରୀ ଜଣକ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଇଥିଲେ ।  ଛାତ୍ରୀଙ୍କ ଶରୀରର ପ୍ରାୟ ୯୫ ପ୍ରତିଶତ ପୋଡ଼ି ଯାଇଥିଲା । ତାଙ୍କୁ ସଂକଟାପନ୍ନ ଅବସ୍ଥାରେ ଭୁବନେଶ୍ବର ଏମସକୁ ସ୍ଥାନାନ୍ତର କରାଯାଇଥିଲା ।  ଲାଇଫ ସପୋର୍ଟ ସିଷ୍ଟମରେ ରଖି ଚିକିତ୍ସା ଚାଲିଥିଲା ।  ୧୦ ଜଣିଆ ବିଶେଷଜ୍ଞ ଦଳ ଛାତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥା ଉପରେ ନଜର ରଖିଥିଲେ । ଛାତ୍ରୀଙ୍କର ଶ୍ବାସନଳୀ, ବୃକକ, ହୃତପିଣ୍ଡ ସମେତ ଗୁରୁତ୍ବପୂର୍ଣ୍ଣ ଅଙ୍ଗପ୍ରତ୍ୟଙ୍ଗ ଅକାମୀ ହୋଇପଡ଼ିଥିଲା ।  ତେବେ ଡାକ୍ତରଙ୍କ ସମସ୍ତ ପ୍ରୟାସ ସତ୍ତ୍ବେ ଛାତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥାରେ କୌଣସି ଉନ୍ନତି ପରିଲକ୍ଷିତ ହୋଇନଥିଲା । ଗତକାଲି ରାତି ପ୍ରାୟ ୧୨ଟାରେ ପରିବାର ଛାତ୍ରୀଙ୍କ ମୃତ୍ୟୁ ଘୋଷଣା ପରେ ମେଡିକାଲ ପରିସର କାନ୍ଦବୋବାଳିରେ ଫାଟି ପଡ଼ିଥିଲା ।