ଶ୍ରୀମନ୍ଦିର କିଛି ଗୁପ୍ତ ରହସ୍ୟ !

ଶ୍ରୀମନ୍ଦିର ଗଲେ ଭୁଲରେ ବି ପକାନ୍ତୁନି ଏହି ସ୍ଥାନରେ ପାଦ….!

ରହସ୍ୟମୟ ଶ୍ରୀ ଜଗନ୍ନାଥ ମନ୍ଦିର । ଆଜି ବି ଶ୍ରୀମନ୍ଦିରକୁ ନେଇ ଏମିତି କିଛି କଥା ଦେଖିବାକୁ ମିଳେ ଯାହା ସାରା ବିଶ୍ବରେ ବିରଳ । ଏମିତିକି ଏକଥା ପାଖରେ ହାର ମାନିଛି ବିଜ୍ଞାନ । ତେବେ ଆପଣ ଜାଣିଛନ୍ତି କି ଲୀଳାମୟ ଜଗନ୍ନାଥ ଯିଏ ସାରା ଜଗତର ନାଥ ଆଉ ଯାହାଙ୍କ ମହିମା ପୁରା ବିଶ୍ବରେ ବିଖ୍ୟାତ । ତାଙ୍କ ରୂପ ଯେତିକି ରହସ୍ୟ ଠିକ ସେମିତି ତାଙ୍କ କ୍ଷେତ୍ରରେ ବି ରହିଛି ଅନେକ ତତ୍ତ୍ଵ । ତେବେ ଆଜି ଏମିତି କିଛି ରହସ୍ୟ କହିବୁ ଯାହା ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ଜାଣିଛନ୍ତି ଶ୍ରୀମନ୍ଦିର ନିକଟରୁ ସମୁଦ୍ର ମାତ୍ର କିଛି ବାଟ ଦୂର ହେଲେ ଏହାର ଗର୍ଜନ ଶ୍ରୀମନ୍ଦିର ମଧ୍ୟକୁ ଆଜି ଯାଏଁ ଶୁଭିନାହିଁ। ଶ୍ରୀମନ୍ଦିରକୁ ଆବଦ୍ଧ କରି ରହିଛି ଏକ ଅନନ୍ୟ ବିଶାଳ ପ୍ରାଚୀର ଯାହାର ନାମ ମେଘନାଦ ପ୍ରାଚୀର ।

ଶ୍ରୀମନ୍ଦିରର ମୁଖ୍ୟ ଦ୍ଵାର ହେଉଛି ସିଂହଦ୍ଵାର ଯେଉଁଠି ଧୂଳିସାତ ହୁଏ ସବୁ କାମନା ବାସନା ଗର୍ବ ଅହଂକାର । ଏହି ଦ୍ଵାରକୁ ଲାଗି ଭିତରକୁ ରହିଛି ବାଇଶି ପାହାଚ । ବାଇଶି ପାହାଚର ଆରମ୍ଭରେ ରହିଛି ଏକ କଳା ମୁଗୁନିପଥର ଯାହାର ନାମ ଯମଶୀଳା । କୁହାଯାଏ ଶ୍ରୀମନ୍ଦିରକୁ ଯିବା ସମୟରେ ଏହା ଉପରେ ଛିଡା ହୋଇ ନୀଳଚକ୍ରକୁ ଚାହିଁଲେ ଜୀବନର ସମସ୍ତ ପାପ କ୍ଷୟ ହୋଇଥାଏ ଏବଂ ମୃତ୍ୟୁ ପରେ ଯମଦଣ୍ଡରୁ ମୁକ୍ତି ମିଳିଥାଏ । କିନ୍ତୁ ସାବଧାନ ଫେରିବା ସମୟରେ ଯଦି ଏହି ବାଟ ଦେଇ ଫେରୁଛନ୍ତି ତାହେଲ ଏହା ଉପରେ ଭୁଲରେ ବି ପାଦ ପକାଇବେ ନାହିଁ , କାହିଁକି ନା ଯେତିକି ପାପ କ୍ଷୟ ହୋଇଥିବ ତାହା ଦ୍ଵିଗୁଣ ହୋଇଯିବ ।

ଖାଲି ସେତିକି ନୁହେଁ ଶ୍ରୀମନ୍ଦିର ଯାହାର ଅନ୍ୟନାମ ବଡଦେଉଳ, ଯାହାର ଉଚ୍ଚତା ୬୫ମିଟର ବା ୨୧୪ ଫୁଟ ହେଲେ ଆଶ୍ଚର୍ଯ୍ୟର କଥା ଏହି ମନ୍ଦିରର ଛାଇ ଦୃଶ୍ୟମାନ ହୁଏ ନାହିଁ । ନୀଳଚକ୍ରରେ ଲାଗି ହୋଇଥାଏ ୧୪ହାତର ବାନା ଯାହାର ନାମ ପତିତପାବନ ବାନା । ବଡ ବିଚିତ୍ର କଥା ଏହି ବାନା ପବନର ବିପରୀତ ଦିଗରେ ଉଡିଥାଏ , ଯେଉଁଠି ହାର ମାନେ ବିଜ୍ଞାନ । ସେହିପରି ମହାପ୍ରଭୁଙ୍କ ରୋଷଘରେ ରହିଛି ଅନେକ ରହସ୍ୟ ଯାହା ଆଜି ଯାଏଁ ଭେଦ ହୋଇ ପାରିନି । କୁହାଯାଏ ଏହି ରୋଷଘରର ମୁଖ୍ୟ ହେଉଛନ୍ତି ମା’ଲକ୍ଷ୍ମୀ ସାଆନ୍ତାଣୀ, ଯିଏ ସଦାସର୍ବଦା ସୁବର୍ଣ୍ଣ ଖଡିକାରେ ମହାପ୍ରଭୁଙ୍କ ନିମନ୍ତେ ୫୬ଭୋଗ ପ୍ରସ୍ତୁତ କରିଥାନ୍ତି । ଯେଉଁ ଚାଉଳ ମହାପ୍ରଭୁଙ୍କ ରୋଷଘରେ ରନ୍ଧାଯାଏ ତାକୁ ଅମୁଣିଆ ଅନ୍ନ କହନ୍ତି ।

ଏହି ଅନ୍ନ ଯେତେବେଳେ ବାହାରକୁ ଆସେ ତାକୁ ଛେକ କୁହାଯାଏ , ଏହା ଯେତେବେଳେ ତିନି ଠାକୁରଙ୍କୁ ଲାଗି ହୁଏ ଏହାକୁ ନୈବେଦ୍ୟ କୁହାଯାଏ । ଏବଂ ଯେତେବେଳେ ଏହା ମା’ବିମଳାଙ୍କ ପାଖରେ ଲାଗିହୁଏ ତାକୁ ମହାପ୍ରସାଦ କୁହାଯାଏ ଆଉ ଯେବେ ଭକ୍ତମାନଙ୍କ ପାଖରେ ପହଞ୍ଚି ଥାଏ ଏହାକୁ ଅବଢା କୁହାଯାଏ । ଅବଢା ଶୁଖିଗଲେ ଏହାକୁ ନିର୍ମାଲ୍ୟ କୁହାଯାଏ । ଯାହା ଜଗନ୍ନାଥ ସଂସ୍କୃତିର ଏକ ଅନନ୍ୟ ବିଚିତ୍ରତା।

ସବୁଠୁ ବଡକଥା ହେଲା ଯେଉଁଠି ମହାପ୍ରଭୁଙ୍କ ଏହି ଅବଢା ପ୍ରସ୍ତୁତ ହୁଏ ସେଠାରେ ଏକାଥରେ ଉପରକୁ ଉପର ୯ଟି କୁଡୁଆ ବସିଥାଏ , ଏବଂ ତଳୁ ଚୁଲି ଜଳେ କିନ୍ତୁ ଆଶ୍ଚର୍ଯ୍ୟର କଥା କି ପ୍ରଥମେ ସଭା ଉପର ହାଣ୍ଡିର ଅନ୍ନ ପ୍ରସ୍ତୁତ ହୁଏ ଶେଷରେ ତଳ କୁଡୁଆତି ପ୍ରସ୍ତୁତ ହୁଏ ଯେଉଁଠି ପୁଣିଥରେ ହାର ମାନେ ବିଜ୍ଞାନ । ତେବେ ମହାପ୍ରଭୁଙ୍କ ସମ୍ପର୍କରେ ଏମିତି ରହିଛି ଅନେକ ରହସ୍ୟ ଯାହା ଜାଣିବାକୁ ଯେତିକି ରୋଚକ ବୁଝିବାକୁ ବି ସେତେ ବ୍ୟାପ୍ତ ।