ଯାଜପୁରରେ ମାତିଛି ଚୋରାମଦ କାରବାର !

ଫ୍ଲାଇଙ୍ଗ ସ୍କ୍ୱାର୍ଡ କବଜାରେ ଦୁଇ ଚୋରାମଦ ବେପାରୀ !

ପୋଲିସକୁ ମିଳିଲା ବଡ ସଫଳତା । କଟକ ଅବକାରୀ ଫ୍ଲାଇଙ୍ଗ ସ୍କ୍ୱାର୍ଡ ଓ ଯାଜପୁର ଅବକାରୀ ବିଭାଗ ପକ୍ଷରୁ ସୁକିନ୍ଦା ଓ ଯାଜପୁର ରୋଡ ଅଞ୍ଚଳରେ ଚଢ଼ାଉ । ଏହି ଚଢାଉ ବେଳେ ବ୍ୟାପକ ନକଲି ମଦ ସହିତ ବିଭିନ୍ନ ସରଞ୍ଜାମ ଏବଂ ଦୁଇଜଣଙ୍କୁ ଗିରଫ କରାଯାଇଛି । ସୂଚନା ଅନୁସାରେ କଟକ ଅବକାରୀ ଫ୍ଲାଇଙ୍ଗ ସ୍କ୍ୱାର୍ଡ ଅଧିକାରୀଙ୍କ ନିର୍ଦ୍ଧେଶ କ୍ରମେ ଅବକାରୀ ଫ୍ଲାଇଙ୍ଗ ସ୍କ୍ୱାର୍ଡ ଇନ୍ସପେକ୍ଟର ସମୀର କୁମାର ମହାନ୍ତି ସୁକିନ୍ଦା ମାର୍କେଟ ଓ ଯାଜପୁର ରୋଡ ଥାନା ମହତାବ୍ ଛକରେ ଥିବା ଦୁଇଟି ହୋଟେଲ ଉପରେ ଚଢ଼ାଉ କରିଥିଲେ ।

ଏହି ସମୟରେ ଦୁଇଜଣ ବ୍ୟକ୍ତି ବ୍ୟାପକ ନକଲି ମଦ ବିକ୍ରି କରୁଥିବା ଦେଖି ରେଡ ହ୍ୟାଣ୍ଡରେ ଗିରଫ କରିଥିଲେ । ତେବେ ଏହି ଗିରଫ ବ୍ୟକ୍ତି ଦୁଇଜଣଙ୍କ ମଧ୍ୟରୁ ଜଣେ ମହତାବ ନଗର ଅଞ୍ଚଳର ହୋଇଥିବା ବେଳେ ଅନ୍ୟଜଣେ ସୁକିନ୍ଦା ଅଞ୍ଚଳ ବୋଲି ଜଣାପଡିଛି । ସେପଟେ ଅବକାରୀ ବିଭାଗ ପକ୍ଷରୁ ଏହି ଅଭିଯୁକ୍ତଙ୍କୁ ଗିରଫ କରିବା ପରେ ଦୁଇଟି ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଦେଖିବାକୁ ମିଳିଛି । ତେବେ ଏହି ଅଭିଯୁକ୍ତଙ୍କ ନିକଟରୁ ୬୭୦ଲିଟର ସ୍ପିରିଟ,୩୦ଲିଟର ନକଲି ବିଦେଶୀ ମଦ,ହଜାରେ ପିସ୍ ନକଲି ଷ୍ଟ୍ରିକର,୧୮ଶହ ଅଏଲ ଓ ୩ହଜାର ଟଙ୍କା ଜବତ ହେଇଥିବା ସୂଚନା ମିଳିଛି ।