ମଧ୍ୟପ୍ରଦେଶ ଭୋପାଳରେ ପ୍ରଧାନମନ୍ତ୍ରୀଙ୍କ ରଣହୁଙ୍କାର

ନାରୀ ଶକ୍ତିର ପ୍ରତୀକ ‘ଅପରେସନ୍ ସିନ୍ଦୂର’

ମଧ୍ୟପ୍ରଦେଶ ଭୋପାଳରେ ପ୍ରଧାନମନ୍ତ୍ରୀଙ୍କ ରଣହୁଙ୍କାର । ପାକିସ୍ତାନକୁ କଡ଼ା ଚେତାବନୀ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ”ନାରୀ ଶକ୍ତିର ପ୍ରତୀକ ‘ଅପରେସନ୍ ସିନ୍ଦୂର’ । ଆତଙ୍କବାଦୀମାନେ ଭାରତର ନାରୀଶକ୍ତିକୁ ଚ୍ୟାଲେଞ୍ଜ କରି ନିଜର ବିନାଶକୁ ଡାକିଥିଲେ । ଅପରେସନ୍ ସିନ୍ଦୂର’ରେ ଆତଙ୍କୀ ମାଟିରେ ମିଶିଛନ୍ତି ।  ଆମ ସେନା ପାକିସ୍ତାନର ଏମିତି ସ୍ଥାନରେ ପହଞ୍ଚି ଆତଙ୍କବାଦୀ ଆଡ୍ଡାକୁ ଧ୍ୱସ୍ତ କରିଛି, ଯାହାକୁ ପାକିସ୍ତାନୀ ସେନା କେବେ କଳ୍ପନା କରିପାରିନଥିଲେ । ଏଥିସହ ‘ଅପେରସନ ସିନ୍ଦୂର’ ଆତଙ୍କବାଦ ବିରୋଧରେ ଭାରତ ଇତିହାସର ସବୁଠୁ ବଡ଼ ଓ ସଫଳ ଅପେରସନ ବୋଲି ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ।’ ଭୋପାଳରେ ‘ମହିଳା ସଶକ୍ତିକରଣ ମହାସମ୍ମିଳନୀ’ରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ, ପହଲଗାମରେ ଆତଙ୍କୀମାନେ ଖାଲି ରକ୍ତ ବୁହାଇ ନଥିଲେ, ବରଂ ଆମ ପରମ୍ପରା ଉପରେ ଆକ୍ରମଣ କରିଥିଲେ । ଆମ ସମାଜକୁ ଭାଗ କରିବାକୁ ଚେଷ୍ଟା କରିଥିଲେ । ଆମ ନାରୀ ଶକ୍ତିଙ୍କୁ ଚ୍ୟାଲେଞ୍ଜ କରିଥିଲେ ।

ଆଉ ଏହି ଚ୍ୟାଲେଞ୍ଜ ଆତଙ୍କବାଦୀ ଓ ଏହାର ପ୍ରାୟୋଜକ ଦେଶ ପାଇଁ ବିନାଶ ସାଜିଥିଲା । ଜମ୍ମୁଠାରୁ ଗୁଜରାଟ ସୀମା ଯାଏଁ ମହିଳା ବିଏସ୍‌ଏଫ୍‌ମାନେ ନେତୃତ୍ୱ ନେଇଥିଲେ । ସୀମା ପାର୍‌ରୁ ଆସୁଥିବା ଗୁଳିମାଡ଼ର ସେମାନେ ଉଚିତ୍ ଜବାବ ଦେଇଥିଲେ । ଆଜି ନକ୍ସଲ କିମ୍ବା ସୀମା ପାର୍ ଆତଙ୍କୀ ଲଢ଼େଇ ସବୁଠି ଆମ ଝିଅ ସୁରକ୍ଷା ଢାଲ । ଆଜି ୧୪୦ କୋଟି ଭାରତୀୟଙ୍କ ଗର୍ଜନ- ଗୁଳିର ଜବାବ, ଗୋଳାରେ ଦିଆଯିବ । ଏଥିସହ ଆତଙ୍କୀଙ୍କ ଚରାଭୂଇଁ ପାକିସ୍ତାନକୁ କଡ଼ା ସନ୍ଦେଶ ଦେଇ ମୋଦି କହିଛନ୍ତି, ଏଥର ଆମେ ତମ ମାଟିରେ ପଶି ଆକ୍ରମଣ କରିବୁ, ଯିଏ ଆତଙ୍କବାଦୀଙ୍କ ସମର୍ଥନ କରିବ ତାକୁ ବହୁମୂଲ୍ୟ ଦେବାକୁ ପଡିବ । ରାଣୀ ଅହଲ୍ୟାବାଇ ହୋଲକରଙ୍କ ୩୦୦ତମ ଜନ୍ମବାର୍ଷିକୀରେ ଭୋପାଳରେ ଆୟୋଜିତ ମହିଳା ସଶକ୍ତିକରଣ ମହାସମ୍ମିଳନୀ ମଞ୍ଚରୁ ପୁଣିଥରେ ପାକିସ୍ତାନ ଉଦ୍ଦେଶ୍ୟରେ ଏଭଳି ଚେତାବନୀ ଦେଇଛନ୍ତି ପ୍ରଧାନମନ୍ତ୍ରୀ