ବିଡିଓ ଆତ୍ମହତ୍ୟା, ଉଚ୍ଚସ୍ତରୀୟ ତଦନ୍ତ ଦାବି କଲା ବିଜେପି
ସିମୁଳିଆ ବିଡିଓ ବିଶ୍ୱରଞ୍ଜନ ମହାନ୍ତିଙ୍କ ମୃତ୍ୟୁ, ଆତ୍ମହତ୍ୟା ନ ହତ୍ୟା । ଆତ୍ମହତ୍ୟାକୁ ନେଇ ସସପେନ୍ସ ଜାରି ରହିଛି । ୟାରି ଭିତରେ ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛି ବିଜେପି । ବିଜେପି ନେତା ପଦ୍ମଲୋଚନ ପଣ୍ଡା କହିଛନ୍ତି କି ବିଶ୍ୱରଞ୍ଜନଙ୍କୁ ଅତ୍ୟଧିକ ରାଜନୈତିକ ଚାପ ରହୁଥିଲା । ପରିକ୍ରମା ପ୍ରକଳ୍ପ ପାଇଁ ଗାଁ ଗାଁରେ ରଥ ବୁଲୁଥିବା ବେଳେ ସେହି ଟଙ୍କାକୁ ନେଇ ସନ୍ଦେହ ହୋଇଛି । ତେଣୁ ଦାୟିତ୍ୱରେ ଥିବା ସିମୁଳିଆ ବ୍ଲକ ଜିପିଓ ମୃତ୍ୟୁଞ୍ଜୟ ନାୟକଙ୍କୁ ତଦନ୍ତ ପରିସର ଭୁକ୍ତ କରାଯାଉ । ଏଥିସହିତ ସିମୁଳିଆ ବ୍ଲକ ଚେୟାରମ୍ୟାନ ବାବାଜୀ ମଲ୍ଲିକଙ୍କ କହିବା କଥା ଗତକାଲି ବିଡ଼ିଓଙ୍କ ବାସଭବନରେ ଚାବି ଖୋଲିବାକୁ ମନା କରିଥିବା ବେଳେ ମୋବାଇଲ ସୁଇଚଅଫ କରି ପଳାଇ ଯାଇଥିଲେ । ତେଣୁ ଟଙ୍କା ଉପରେ ଅନେକ ସନ୍ଦେହ ହେଉଛି । ଏଥିପାଇଁ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଦାବୀ କରିଛନ୍ତି । ଅନ୍ୟପଟେ ବାଲେଶ୍ୱର ସିମୁଳିଆ ବିଡିଓ ବିଶ୍ୱରଂଜନ ମହାନ୍ତିଙ୍କ ଶେଷକୃତ୍ୟରେ ତାଙ୍କର କୌଣସି ସହକର୍ମୀ, ଉପରିସ୍ଥ ଅଧିକାରୀ, ଜିଲ୍ଲା ପ୍ରଶାସନର କୌଣସି ଅଫିସର ଯୋଗ ଦେଇନଥିବାରୁ କ୍ଷୋଭ ପ୍ରକାଶ କରିଛନ୍ତି ତାଙ୍କ ପତ୍ନୀ ନିବେଦିତା । ସେ କହିଛନ୍ତି, ତଦନ୍ତ ଉପରେ ଭରସା ନାହିଁ । ତଦନ୍ତରୁ କିଛି ମିଳିବ ବୋଲି ଆଶା ନାହିଁ। ସ୍ୱାମୀ ଚାପରେ ଆତ୍ମହତ୍ୟା କରିଥିବା କହିଛନ୍ତି ନିବେଦିତା । କିନ୍ତୁ ଗତକାଲି ସେ ଅଲଗା କଥା କହିଥିଲେ, ଆତ୍ମହତ୍ୟା ଉପରେ ସନ୍ଦେହ ପ୍ରକାଶ କରି ସ୍ୱାମୀଙ୍କୁ ହତ୍ୟା କରାଯାଇଥିବା କହିଥିଲେ ନିବେଦିତା ।
ସେପଟେ ସିମୁଳିଆ ଥାନା ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି । ବିଡିଓ କାର୍ଯ୍ୟାଳୟ ପରିସରରେ ଥିବା ସିସିଟିଭି ଯାଞ୍ଚ କରିଛି ପୋଲିସ୍ ।