ଅନ୍ତର୍ଜାତୀୟ ସ୍ପେଶ୍ ଷ୍ଟେସନ୍ରେ ଶୁଭାଂଶୁ ଶୁକ୍ଳା
ଭାରତୀୟ ମହାକାଶଚାରୀ ଶୁଭାଂଶୁ ଶୁକ୍ଳା ସ୍ପେସ୍ ଏକ୍ସର ଆକ୍ସିୟମ୍-୪ ମିଶନରେ ଯାଇ ମହାକାଶରେ ପହଞ୍ଚି ଯାଇଛନ୍ତି। ଶୁଭାଂଶୁ ଶୁକ୍ଳା ମହାକାଶରେ ପହଞ୍ଚିବା ମାତ୍ରେ ଭିଡିଓ କଲ୍ କରି ତାଙ୍କ ଅଭିଜ୍ଞତା ବିଷୟରେ ବିଶ୍ବକୁ ଜଣାଇଥିଲେ। ୨୮ ଘଣ୍ଟାର ଉଡ଼ାଣ ପରେ ଇଣ୍ଟର ନ୍ୟାସନାଲ ସ୍ପେଶ୍ ଷ୍ଟେସନରେ ଡ୍ରାଗନ କ୍ୟାପସ୍ୟୁପଲ ପହଞ୍ଚିଛି । ଭାରତୀୟ ବାୟୁସେନା ଗ୍ରୁପ କ୍ୟାପଟେନ ଶୁଭାଂଶୁ ଶୁକ୍ଳା ଏବଂ ତାଙ୍କ ଟିମ୍ ସେଠାରେ ପହଞ୍ଚିବା ପରେ ତାଙ୍କୁ ସ୍ୱାଗତ କରାଯାଇଛି।

ନାସା ଓ ଋଷରୁ ୩ଜଣ ଲେଖାଏଁ ଏବଂ ଜାପାନରୁ ଜଣେ ବୈଜ୍ଞାନିକ ତାଙ୍କୁ ଉତ୍ସାହର ସହିତ ସ୍ବାଗତ କରିଥିଲେ । ଆଇଏସଏସରେ ପହଞ୍ଚିବା ପୂର୍ବରୁ ଶୁଭାଂଶୁ ମହାକାଶରୁ ଏକ ମେସେଜ୍ ପଠାଇ ଥିଲେ। ସେ ମାଇକ୍ରୋଗ୍ରାଭିଟିରେ ନିଜକୁ ଖାପ ଖୁଆଇବା ପାଇଁ ” ଏକ ଶିଶୁ ପରି ପୁଣି ଥରେ ବଞ୍ଚିବା ଶିଖିବା” ଭଳି କହିଥିଲେ ଏବଂ ମହାକାଶରେ ପହଁରିବାର ଅନୁଭବ ଅଦ୍ଭୁତ ବୋଲି ବର୍ଣ୍ଣନା କରିଥିଲେ। ୬ଥର ଘୁଞ୍ଚିବା ପରେ ବୁଧବାର ଆକ୍ସିଅମ୍-୪ ମିଶନ ଲଞ୍ଚ୍ ହୋଇଥିଲା । ଦିନ ୧୨ଟା ୧ ମିନିଟରେ ଆମେରିକାର ଫ୍ଲୋରିଡା ସ୍ଥିତ ନାସାର କେନେଡି ସ୍ପେଶ ସେଣ୍ଟରରୁ ଫାଲକନ୍-୯ ରକେଟ୍ ଦ୍ବାରା ଡ୍ରାଗନ୍ ମହାକାଶ ଯାନକୁ ଉତକ୍ଷେପଣ କରାଯାଇଥିଲା । ଏହି ମିଶନରେ ଶୁଭାଂଶୁଙ୍କ ସହ ଆମେରିକୀୟ ମହାକାଶଚାରୀ ପେଗୀ ହ୍ବିଟସନ୍, ପୋଲାଣ୍ଡର ସ୍ଲାଓଜ୍ ଉଜନାଲସ୍କୀ ଏବଂ ହଙ୍ଗେରୀର ମେକାନିକାଲ ଇଞ୍ଜିନିୟର ଟିବୋର କାପୁ କ୍ରିଉ ସଦସ୍ୟ ରହିଛନ୍ତି । ୧୪ ଦିନିଆ ମିଶନ ସମୟରେ ମହାକାଶଚାରୀ ISSରେ ବିଶ୍ୱବ୍ୟାପୀ ଜନସମ୍ପର୍କ କାର୍ଯ୍ୟକ୍ରମ, ମାଇକ୍ରୋଗ୍ରାଭିଟି ଗବେଷଣା ଏବଂ ପ୍ରଯୁକ୍ତିବିଦ୍ୟା ପ୍ରଦର୍ଶନ କରିବେ । ଆକ୍ସିଅମ୍ ସ୍ପେସ୍, ସ୍ପେସ୍ ଏକ୍ସ ଏବଂ ଇସ୍ରୋର ଏହା ମିଳିତ ଅଭିଯାନ । ଏଥିରେ ମୋଟ୍ ୬୦ଟି ପରୀକ୍ଷଣ ହେବ । ଏଥିମଧ୍ୟରୁ ୭ଟି ଭାରତ ଦ୍ବାରା ପ୍ରସ୍ତାବିତ ।
