ସାମ୍ବାଦିକାଙ୍କୁ ଚାପୁଡ଼ା ମାରିଲେ ଫିଲ୍ମ ପ୍ରଯୋଜକ ଟୁଟୁ ନାୟକ

”ସରି” କହି ଖସି ଯିବେ କି ଟୁଟୁ ନାୟକ

ଟୁଟୁ ନାୟକଙ୍କ ପିଛା ଛାଡୁନି ବିବାଦ । ପୁଣି ଥରେ ଚର୍ଚ୍ଚାରେ ଓଡ଼ିଶା ଫିଲ୍ମ ପ୍ରଯୋଜକ ସଞ୍ଜୟ ନାୟକ ଓରଫ ଟୁଟୁ । ତାଙ୍କ ନାଁରେ ଆସିଛି ବଡ଼ ଅଭିଯୋଗ। ଆଉ ଅଭିଯୋଗ ଆଣିଛନ୍ତି ଜଣେ ମହିଳା ସାମ୍ୱାଦିକ । ସେ ମହିଳା ସାମ୍ବାଦିକଙ୍କୁ ଦୁର୍ବ୍ୟବହାର କରିବା ସହ ତାଙ୍କ ଗାଲକୁ ଚାପୁଡ଼ା ପକାଇଥିବା ଅଭିଯୋଗ ହୋଇଛି। ରାଜଧାନୀ ଭୁବନେଶ୍ୱରରେ ଏପରି ଘଟଣା ଘଟିଛି। ତେବେ ଚାପୁଡ଼ା ମାରା ଅଭିଯୋଗକୁ ଖଣ୍ଡନ କରିଛନ୍ତି ଟୁଟୁ ନାୟକ । ଆଜି ଓଡ଼ିଆ ଫିଲ୍ମ ପ୍ରଥାର ପୋଷ୍ଟର ରିଲିଜ ହୋଇଥିଲା । ସେଥିପାଇଁ ସିନେ ଅଭିନେତା, ଅଭିନେତ୍ରୀ, ପ୍ରଯୋଜକ ଓ ଗଣମାଧ୍ୟମ ପ୍ରତିନିଧିଙ୍କୁ ନିମନ୍ତ୍ରଣ କରାଯାଇଥିଲା। ପୋଷ୍ଟର ରିଲିଜ୍‌ ପରେ ମହିଳା ସାମ୍ୱାଦିକା ଦେବସ୍ମିତା ରାଉତ ବାହାକୁ ପଳାଇ ଆସିଥିଲେ। ଫିଲ୍ମର ହିରୋଙ୍କ ବାଇଟ୍‌ ନେବା ପାଇଁ ଅପେକ୍ଷା କରିଥିଲେ । କିନ୍ତୁ ଏହି ସମୟରେ ହଠାତ୍‌ ଟୁଟୁ ନାୟକ ପଛ ପାର୍ଶ୍ୱରୁ ଆସିଥିଲେ । କେହି କିଛି ବୁଝିବା ଆଗରୁ ସେ ସାମ୍ବାଦିକ ଦେବସ୍ମିତାଙ୍କ ଗାଲକୁ ଶକ୍ତ ଚାପୁଡ଼ା ମାରିଥିଲେ। ପରେ ତାଙ୍କୁ ସେ ଠେଲି ଦେଇଥିଲେ। ଫଳରେ ଦେବସ୍ମିତାଙ୍କ ହାତରୁ ବୁମ୍‌ ଓ ଫୋନ୍‌ ଖସି ପଡ଼ିଥିଲା । ସେ ବୁମ୍‌ ଉଠାଇବା ପରିବର୍ତ୍ତେ ହସିଦେଇ ସେଠାରୁ ପଳାଇ ଯାଇଥିବା ଦେବସ୍ମିତା ଅଭିଯୋଗ କରିଛନ୍ତି । ଟୁଟୁ ନାୟକଙ୍କ ଏପରି ବ୍ୟବହାର ମୋତେ ଅତିଷ୍ଠ କରିଛି। ତେଣୁ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଦେବସ୍ମିତା ଦାବି କରିଛନ୍ତି । ଦେବସ୍ମିତା ଏନେଇ ଖାରବେଳ ନଗର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତିକରି କମିଶନରେଟ୍‌ ପୁଲିସ୍‌ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ପୁଲିସ ଫିଲ୍ମ ହଲ୍‌ରେ ପହଞ୍ଚି ସିସିଟିଭି ଯାଞ୍ଚ କରୁଛି। ସେପଟେ ଅଭିଯୋଗକୁ ଖଣ୍ଡନ କରିଛନ୍ତି ଟୁଟୁ ନାୟକ। ସେ କହିଛନ୍ତି, ଆଜି ଗୋଟିଏ ଦିନରେ ୨ଟା ପ୍ରିମିଅର ଶୋ’ ଥିଲା। ଶୋ’ ଦେଖି ବାହାରିବା ବେଳେ ସେ ଗେଟ୍ ମଝିରେ ଠିଆ ହୋଇଥିଲେ। ମୁଁ ତାଙ୍କୁ ସାଇଡ୍ ହୋଇଯାଅ କହି ଟିକେ ମାରିଦେଲି । ତାଙ୍କ ମୋବାଇଲ୍ ତଳେ ପଡ଼ିଗଲା। ଅନ୍ୟ ସାମ୍ବାଦିକ ଉଠାଇ ଦେଲେ। ମୁଁ ସେଠାରୁ ପଳାଇ ଆସିଲି। ପରେ ଶୁଣିଲି ମୋ’ ନାଁରେ କେସ୍ ହୋଇଛି । ମୋର ସେଭଳି କିଛି ଉଦ୍ଦେଶ୍ୟ ନ ଥିଲା। ଯଦି ତାଙ୍କୁ ଦୁଃଖ ଲାଗିଛି, ଆଇ ଆମ୍‌ ସରି ବୋଲି ଟୁଟୁ ନାୟକ କହିଛନ୍ତି।