ପୁଣି ଅଡ଼ୁଆରେ ଆତ୍ମଘୋଷିତ ସାରଥି ବାବା

ପୁଣି ଅଡ଼ୁଆରେ ଆତ୍ମଘୋଷିତ ସାରଥି ବାବା

ପୁଣି ଅଡ଼ୁଆରେ ଆତ୍ମଘୋଷିତ ସାରଥି ବାବା। ଥାନାରେ ଏତଲାଦେଲେ ସମାଜସେବୀ। ସାରଥି ନାଁରେ ସତ୍‌ସଙ୍ଗ ଏବଂ ଭଜନ, କୀର୍ତ୍ତନ ସହ ଅନୁଗାମୀଙ୍କ ମୁହଁରେ ବିବାଦୀୟ ସାରଥି ବାବାଙ୍କ ଗୁଣଗାନ । ଦୋଳପୂର୍ଣ୍ଣିମା ଅବସରରେ ଭୁବନେଶ୍ବରରେ ସତ୍‌ସଙ୍ଗ ଏବଂ ଜୟପୁରରେ ସାରଥିଙ୍କ ସ୍ବତନ୍ତ୍ର ମନ୍ଦିର ପ୍ରତିଷ୍ଠା ଅବସରରେ ଦେଖିବାକୁ ମିଳିଛି ଭିନ୍ନ ଚିତ୍ର । ସାରଥିଙ୍କ ଫଟୋରେ ତୁଳସୀ ଚଢ଼ାଇବା ସହ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରତିମୂର୍ତ୍ତି ରଖି ସମାନ୍ତରାଳ ପୂଜାର୍ଚ୍ଚନା କରିଛନ୍ତି ସାରଥିଙ୍କ ଅନୁଗାମୀ । ଅନୁଗାମୀ କହିଛନ୍ତି ସାରଥି ଓ ମହାପ୍ରଭୁ ଜଗନ୍ନାଥ ଏକ୍ । ଯାହାକୁ ନେଇ ଜଗନ୍ନାଥ ପ୍ରେମୀ ଓ ସଂସ୍କୃତି ଗବେଷକ ଅସନ୍ତୋଷ ଝାଡ଼ିଥିବାବେଳେ ମାମଲା ଥାନାରେ ପହଞ୍ଚିଛି । ତେବେ ଏହାପରେ ଏଭଳି ଘଟଣାକୁ ନେଇ ଉଠିଛି ଅନେକ ପ୍ରଶ୍ନ । ଭୁବନେଶ୍ୱରରେ ସାରଥି ଫଟୋ ତଳେ ଚଢ଼ା ଯାଇଛି ଧୂପ, ଦୀପ ଓ ନୈବେଦ୍ୟ । ଏପରିକି ତୁଳସୀ ବି ଚଢ଼ାଯାଇଥିବା ଦେଖିବାକୁ ମିଳିଛି । ଜୟପୁର ଫାମ୍ପୁଣିରେ ଠିକ୍ ସମାନ ଚିତ୍ର ଦେଖିବାକୁ ମିଳିଛି । ଏଠି ବି ଭଜନ କୀର୍ତ୍ତନରେ ବିଭୋର ଅନୁଗାମୀ । ବିଶାଳ ଫଟୋ ରଖି ସମବେତ କଣ୍ଠରେ ଗାନ ସାରଥିଙ୍କ ସଂଗୀତ ଗାନ କରିଥିଲେ। ହେଲେ ଏମାନେ ଭୁଲିଯାଇଛନ୍ତି କୋଟି ଓଡ଼ିଆଙ୍କ ମଉଡ଼ମଣି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମହିମାକୁ । ଅନୁଗତମାନେ ଅତି ଗୌଣ କରି ସାରଥିଙ୍କ ବଡ଼ ଫଟୋ ତଳେ ମହାପ୍ରଭୁଙ୍କ ଛୋଟ ମୂର୍ତ୍ତି ରଖିଛନ୍ତି। ତା’ସହ ସାରଥିଙ୍କ ସ୍ବତନ୍ତ୍ର ମନ୍ଦିର ପ୍ରତିଷ୍ଠା ଅବସରରେ ବ୍ରହ୍ମାଣ୍ଡ ଠାକୁରଙ୍କ ସହ ସାରଥୀଙ୍କୁ ତୁଳନା ବି କରିଛନ୍ତି । ଅନୁଗତ କହିଛନ୍ତି ସାରଥୀ ଓ ମହାପ୍ରଭୁ ଜଗନ୍ନାଥ ଏକ ଓ ଅଭିନ୍ନ । ତେବେ କାହା ଅନୁମତିରେ ଏବଂ କାହା ଇସାରାରେ ବିବାଦୀୟ ତଥା ଆତ୍ମଘୋଷିତ ସାରଥି ବାବା ଓରଫ୍ ସନ୍ତୋଷ ରାଉଳଙ୍କ ନାଁରେ ଏଭଳି ସତ୍‌ସଙ୍ଗ କରିଛନ୍ତି, ସେନେଇ ମୁହଁ ଖୋଲୁନାହାଁନ୍ତି ଅନୁଗତ ।