ଦେଶବ୍ୟାପୀ ସୁରକ୍ଷା କଡ଼ାକଡ଼ି, ସୀମାରେ ହାଇଆଲର୍ଟ
ଦିଲ୍ଲୀରେ ହୋଇଥିବା ବିସ୍ଫୋରଣ ପରେ ସମଗ୍ର ଦେଶରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଛି । ରାଜଧାନୀ ଦିଲ୍ଲୀ ଠାରୁ ଆରମ୍ଭ କରି ଗୁଜରାଟ, ରାଜସ୍ଥାନ ଏବଂ କାଶ୍ମୀର ପର୍ଯ୍ୟନ୍ତ ସମସ୍ତ ପ୍ରମୁଖ ସହର ଓ ସୀମାବର୍ତ୍ତୀ ଅଞ୍ଚଳରେ କଡ଼ା ସୁରକ୍ଷା ପ୍ରହରା ବ୍ୟବସ୍ଥା କରାଯାଇଛି । ପୁଲିସ ଓ ସୁରକ୍ଷା ବାହିନୀକୁ ହାଇଆଲର୍ଟରେ ରଖାଯାଇଛି ।ସୀମାବର୍ତ୍ତୀ ରାଜ୍ୟମାନଙ୍କରେ ପାଟ୍ରୋଲିଂ ବ୍ୟବସ୍ଥାକୁ ଆହୁରି ମଜବୁତ କରାଯାଇଛି । ବିଶେଷ କରି ପାକିସ୍ତାନ ସୀମାକୁ ଲାଗିଥିବା ରାଜସ୍ଥାନ ଏବଂ କାଶ୍ମୀର ସୀମାରେ ଅଧିକ ସତର୍କତା ଅବଲମ୍ବନ କରାଯାଉଛି । ସୂଚନା ଅନୁଯାୟୀ, ଦିଲ୍ଲୀ ବିସ୍ଫୋରଣ ପରେ ପାକିସ୍ତାନ ରାତି ତମାମ ଲଢ଼ୁଆ ବିମାନ ସହ ରାଜସ୍ଥାନ ସୀମାରେ ପାଟ୍ରୋଲିଂ କରୁଥିବା ଦେଖିବାକୁ ମିଳିଛି । ଏହାକୁ ଦୃଷ୍ଟିରେ ରଖି ଭାରତୀୟ ସେନା ମଧ୍ୟ ସୀମାରେ ନିଜର ତୀକ୍ଷ୍ଣ ନଜର ରଖିଛି ଏବଂ କୌଣସି ଅପ୍ରୀତିକର ପରିସ୍ଥିତିର ମୁକାବିଲା କରିବାକୁ ପ୍ରସ୍ତୁତ ରହିଛି ।
