ରାଜ୍ୟରେ ଚାଲିଛି ଦ୍ୱିତୀୟ ପର୍ଯ୍ୟାୟ ମତଦାନ
ରାଜ୍ୟରେ ଆରମ୍ଭ ହୋଇଛି ଦ୍ୱିତୀୟ ପର୍ୟ୍ୟାୟ ମତଦାନ। ସକାଳ ୭ରୁ ଭୋଟଗ୍ରହଣ ଆରମ୍ଭ ହୋଇଛି। ସକାଳୁ ସକାଳୁ ବୁଥରେ ଲାଗିଛି ଗହଳି। ଆଜି ୫ ଲୋକସଭା ଆସନ ଆସ୍କା, କନ୍ଧମାଳ, ବଲାଙ୍ଗିର, ବରଗଡ଼, ସୁନ୍ଦରଗଡ ଓ ଏହା ଅଧୀନସ୍ଥ ୩୫ଟି ବିଧାନସଭା ନିର୍ବାଚନମଣ୍ଡଳୀରେ ଭୋଟିଂ ଚାଲିଛି। ୫ ଲୋକସଭା କ୍ଷେତ୍ରରେ ମୋଟ ୪୦ ଜଣ ପ୍ରାର୍ଥୀ ନିର୍ବାଚନୀ ରଣାଙ୍ଗନରେ ଅଛନ୍ତି। ଏମାନଙ୍କ ମଧ୍ୟରୁ ୩୪ ପୁରୁଷ ଓ ୬ ଜଣ ମହିଳା । ୩୫ ବିଧାନସଭା କ୍ଷେତ୍ରରେ ମୋଟ ୨୬୫ ଜଣ ପ୍ରାର୍ଥୀ ଭାଗ୍ୟ କରୁଥିବା ବେଳେ ଏମାନଙ୍କ ମଧ୍ୟରେ ୨୨୪ ପୁରୁଷ ଓ ୪୧ ମହିଳା ଅଛନ୍ତି। ୫ ସଂସଦୀୟ କ୍ଷେତ୍ରରେ ମୋଟ ୭୯ ଲକ୍ଷ ୬୯ ହଜାର ୮୮୭ ଜଣ ଭୋଟର ମତାଧିକାର ସାବ୍ୟସ୍ତ କରିବେ। ଏମାନଙ୍କ ମଧ୍ୟରେ ୪୦ଲକ୍ଷ ୩୩ ହଜାର ୯୯୨ ପୁରୁଷ, ୩୯ ଲକ୍ଷ ୩୫ ହଜାର ୪୪ ମହିଳା ଓ ୮୫୧ ତୃତୀୟ ଲିଙ୍ଗୀ ଭୋଟର ଅଛନ୍ତି। ସେହିପରି ୨ ଲକ୍ଷ ୧୩ ହଜାର ୧୨୯ ଜଣ ପ୍ରଥମ ଥର ଭୋଟ୍ ଦେବାକୁ ଯାଉଥିବା ବେଳେ ୧୬ ଲକ୍ଷ ୯୮ ହଜାର ୫୧୬ ଜଣ ଯୁବ ତଥା ୨୦ରୁ ୨୯ ବର୍ଷ ବୟସର ଭୋଟର ଅଛନ୍ତି । ଏହି ପର୍ୟ୍ୟାୟରେ ଭୋଟ ପାଇଁ ୯ ହଜାର ୧୪୮ ମତଦାନ କେନ୍ଦ୍ର କରାଯାଇଛି। ଏଥିମଧ୍ୟରୁ ୧ ହଜାର ୯୦ଟି ସହରାଞ୍ଚଳ ଏବଂ ୮ ହଜାର ୫୮ଟି ଗ୍ରାମାଞ୍ଚଳରେ ରହିଛି । ୧ ହଜାର ୪୧ଟି ବୁଥ ସମ୍ପୂର୍ଣ୍ଣ ଭାବେ ମହିଳାଙ୍କ ଦ୍ବାରା ଓ ୨୫ଟି ସମ୍ପୂର୍ଣ୍ଣ ଭାବେ ଭିନ୍ନକ୍ଷମ କର୍ମଚାରୀଙ୍କ ଦ୍ବାରା ପରିଚାଳିତ । ୧ ହଜାର ୫୪୧ଟି ଆଦର୍ଶ ମତଦାନ କେନ୍ଦ୍ର ହୋଇଛି। ତେବେ ଏହି ପର୍ୟ୍ୟାୟରେ ୨୦ ପ୍ରତିଶତ ସମ୍ବେଦନଶୀଳ ବୁଥ୍ ରହିଛି।