କୁନିକୁନି ଛାତ୍ରଛାତ୍ରୀଙ୍କ ନିଆରା ପ୍ରୟାସ

ଯବାନଙ୍କ ପାଖକୁ ପଠାଇଲେ ରାକ୍ଷୀ

ପାଖେଇ ଆସୁଛି ରାକ୍ଷୀ ପୂର୍ଣ୍ଣିମା । ଆଉ ରାକ୍ଷୀ ପୂର୍ଣ୍ଣିମା ପାଇଁ ଯାଜପୁର ଜିଲ୍ଲା ଜେନାପୁରରେ ଦେଖିବାକୁ ମିଳିଛି ନିଆରା ଦୃଶ୍ୟ । ଜେନାପୁର ଅଞ୍ଚଳର ଶତାଧିକ କୁନିକୁନି ଛାତ୍ରଛାତ୍ରୀ ନିଜ ହାତ ତିଆରି ରାକ୍ଷୀ ଯବାନଙ୍କ ନିକଟକୁ ପଠାଇଛନ୍ତି । ସଚେତନ ନାଗରିକ ମଞ୍ଚ ଯାଜପୁର ସହଯୋଗରେ ତୃତୀୟ ଥର ପାଇଁ ଏହି ରାକ୍ଷୀ ଆର୍ମୀ ହେଡକ୍ବାର୍ଟର୍ସକୁ ପଠାଯାଇଛି । ଧର୍ମଶାଳା ବ୍ଲକ୍‌ ବୃନ୍ଦାଦେଇପୁରସ୍ଥିତ ଶୋଭନୀୟ ଶିକ୍ଷାଶ୍ରମ ପରିସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସ୍ଥାନୀୟ ଅଞ୍ଚଳର ୩ଟି ବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀ ଯୋଗଦେଇ ରାକ୍ଷୀ ପ୍ରସ୍ତୁତ କରିଥିଲେ। ପରେ ଏହାକୁ କବାଟବନ୍ଧ ପୋଷ୍ଟ ମାଷ୍ଟର ଅରୁଣ କୁମାର ଦାସଙ୍କୁ ପ୍ରଦାନ କରାଯାଇଥିଲା। ଶ୍ରୀ ଦାସ ଏହି ରାକ୍ଷୀକୁ ସେନା ମୁଖ୍ୟାଳୟକୁ ପଠାଇଥିବା ଜଣାପଡ଼ିଛି । କୁନି କୁନି ଶିଶୁଙ୍କ ଏହି ନିଆରା ପ୍ରୟାସକୁ ସାଧାରଣ ଲୋକେ ବେଶ୍ ପ୍ରଶଂସା କରିଛନ୍ତି ।