ପାଣ୍ଡିଆନଙ୍କ ନାଁରେ ଠକେଇ, ଦଳ ନେଲା କାର୍ଯ୍ୟାନୁଷ୍ଠାନ

ବିଜେଡିରୁ ବହିଷ୍କୃତ ହେଲେ ସସ୍ମିତା ମାଝୀ

ବିଜେଡିରୁ ବହିଷ୍କୃତ ହେଲେ ସସ୍ମିତା ମାଝୀ । ଭିକେ ପାଣ୍ଡିଆନଙ୍କ ନାଁ ନେଇ ଚାକିରି କରାଇ ଦେବା ନାଁରେ ଏକାଧିକ ଲୋକଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ଠକେଇ ମାମଲାରେ ଫସିଥିବା ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ୍ ୩ ନମ୍ବର ଜୋନର ଜିଲ୍ଲା ପରିଷଦ ସଭ୍ୟ ସସ୍ମିତା ମାଝୀଙ୍କୁ ବିଜେଡିରୁ ବହିଷ୍କାର କରାଯାଇଛି। ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ତାଙ୍କୁ ବହିଷ୍କାର କରାଯାଇଥିବା ନେଇ ଦଳ ତରଫରୁ ଏକ ପ୍ରେସ୍ ରିଲିଜ୍ ଜରିଆରେ ସୂଚନା ଦିଆଯାଇଛି। ଜନବିରୋଧୀ କାର୍ୟ୍ୟ ଯୋଗୁ ସସ୍ମିତା ମାଝୀଙ୍କୁ ଦଳରୁ ବହିଷ୍କାର କରାଯାଇଥିବା ପ୍ରେସ୍ ରିଲିଜରେ ଉଲ୍ଲେଖ କରାଯାଇଛି। ଏହି ମାମଲାରେ ସସ୍ମିତା ମାଝୀଙ୍କ ସମେତ ୩ ଜଣ ଅଭିଯୁକ୍ତ ରହିଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ଗିରଫ ହୋଇଛନ୍ତି। ତାଙ୍କ ନାଁ ରମେଶ ରାଉତ। ତାଙ୍କ ଘର କେନ୍ଦ୍ରାପଡ଼ାରେ। ତାଙ୍କୁ ଭୁବନେଶ୍ୱରରୁ ଗିରଫ କରାଯାଇଛି। ରମେଶ ନିଜକୁ ଭିକେ ପାଣ୍ଡିଆନଙ୍କ ଶଳା କହି ଚାକିରି କରାଇ ଦେବା ନାଁରେ ଅନେକ ଲୋକଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କ ହଡ଼ପ କରିଛି। ଏଥିରେ ତାଙ୍କ ସହିତ ସସ୍ମିତା ମାଝୀ ଓ ଅନ୍ୟ ଜଣେ ସହଯୋଗୀ ସାମିଲ ଥିବା ଅଭିଯୋଗ ହୋଇଛି। ରମେଶଙ୍କୁ ଗିରଫ କରାଯାଇଥିବା ଅନ୍ୟ ଦୁଇ ଜଣ ଫେରାର ଥିବା ଜଣାପଡ଼ିଛି।