ମୁହଁ ଖୋଲିଲେ ସନାତନ ମହାକୁଡ଼

ବିଜେଡିରେ ଥିଲି, ଅଛି ଏବଂ ରହିବି: ସନାତନ ମହାକୁଡ

ଚମ୍ପୁଆ ବିଧାୟକଙ୍କୁ ନବୀନଙ୍କ ତାଗିଦ୍ ପ୍ରସଙ୍ଗ। ମୁହଁ ଖୋଲିଲେ ସନାତନ ମହାକୁଡ଼। ପ୍ରତିକ୍ରିୟା ରଖି କହିଛନ୍ତି, ବିଜେଡି ଠାରୁ ଦୂରେଇ ନାହିଁ ଦଳ ସହ ଅଛନ୍ତି ଏବଂ ରହିବେ। ନବୀନ ଦଳର ମୁଖିଆ, ସେ ପଚାରି ପାରିବେ ବୋଲି କହିଛନ୍ତି ବିଜେଡି ବିଧାୟକ। ବିଧାୟକ ଦଳ ବୈଠକକୁ କାହିଁକି ଯାଇ ନଥିଲି ବୋଲି ପଚାରିବାରୁ ଦେହ ଖରାପ ବୋଲି ଯାଇ ନଥିବା କହିଥିବା ସନା କହିଛନ୍ତି। ତେବେ ୨୦୨୯ ପର୍ୟ୍ୟନ୍ତ କେଉଁ ଦଳକୁ ଯାଇ ପାରିବେ ନାହିଁ। ଏବଂ ବିଜେପି ଯିବା ଚର୍ଚ୍ଚା କରିବା ଠିକ୍ ନୁହେଁ। ମୁଖ୍ୟମନ୍ତ୍ରୀ ହେଉଛନ୍ତି ତାଙ୍କ ଜିଲ୍ଲାର । ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଭେଟିଥିବା କହିଛନ୍ତି ସନାତନ ମହାକୁଡ଼। ଏହାସହ କେବଳ ସେ ନୁହେଁ ଦଳର ଆଉ ଦୁଇଜଣ ବିଧାୟକ ଭେଟିଥିବା ବି କହିଛନ୍ତି ଚମ୍ପୁଆ ବିଧାୟକ। ବିଧାନସଭାରେ ପଶୁ ପଶୁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ, ବିଧାୟକ ସନାତନ ମହାକୁଡ଼ଙ୍କ ଉପରେ ଅସନ୍ତୋଷ ଝାଡ଼ିଥିଲେ। ବିଧାୟକ ଦଳ ବୈଠକକୁ କାହିଁକି ସନାତନ ଆସିନଥିଲେ, ସେ ସଂକ୍ରାନ୍ତରେ ସିଧା ପଚାରିଥିଲେ ନବୀନ। ଅସୁସ୍ଥତା କାରଣରୁ ବୈଠକରେ ଯୋଗଦେଇନଥିବା ସମ୍ପର୍କରେ ସନାତନଙ୍କ ସଫେଇ ନବୀନଙ୍କୁ ସନ୍ତୁଷ୍ଟ କରିନାହିଁ। ଏକାଧିକ ବାର ଏପରି ପ୍ରଶ୍ନ ପଚାରି ନବୀନ, ସନାତନଙ୍କୁ ଅପ୍ରସ୍ତୁତ କରି ପକାଇଥିବା ଦେଖିବାକୁ ମିଳିଥିଲା। ସବୁଠାରୁ ବଡ଼ କଥା ହେଲା ନବୀନ ସିଧାସଳଖ ଅଭିଯୋଗ କରିଥିଲେ ଯେ ଗତକାଲି ଯଦି ଅସୁସ୍ଥ ଥିଲ, ଆଜି ବିଜେପି ମୁଖ୍ୟମନ୍ତ୍ରୀଙ୍କୁ ଦେଖିବାକୁ ଆସିଛ କି? ନବୀନଙ୍କ ଏଭଳି ଉଗ୍ରରୂପ ଏବଂ ସବୁ ବିଧାୟକଙ୍କ ସାମ୍ନାରେ ଖୋଲା ଅସନ୍ତୋଷ ବିଜେଡି ଶିବିରରେ କମ୍ପନ ସୃଷ୍ଟି କରିଛି।