ବରିଷ୍ଠ ବିଜେପି ନେତା ସମୀର ଦେ’ଙ୍କ ପରଲୋକ
ବରିଷ୍ଠ ବିଜେପି ନେତା ସମୀର ଦେ’ଙ୍କ ପରଲୋକ । ୬୭ ବର୍ଷରେ କଟକର ଏକ ଘରୋଇ ହସ୍ପିଟାଲରେ ଦେହାନ୍ତ ହୋଇଛି । ସମୀର ଦେ’ଙ୍କ ପରଲୋକ ନେଇ ଘରୋଇ ହସ୍ପିଟାଲ ଡାକ୍ତରଙ୍କ ପକ୍ଷରୁ ସୂଚନା ମିଳିଛି । ତେବେ ଅସୁସ୍ଥ ଥାଇ ଦୀର୍ଘଦିନରୁ ଚିକିତ୍ସାଧୀନ ଥିଲେ ସମୀର । ନିମୋନିଆ, କିଡ୍ନୀ, ରକ୍ତଚାପ ଜନିତ ରୋଗରେ ଆକ୍ରାନ୍ତ ଥିଲେ ବରିଷ୍ଠ ବିଜେପି ନେତା ସମୀର ଦେ’ । କଟକ ସହରରୁ ଲଗାତର ତିନି ଥର ନିର୍ବାଚିତ ହୋଇଥିଲେ ସମୀର । ୧୯୯୫ ମସିହାରେ ସେ ପ୍ରଥମ ଥର ପାଇଁ ବିଧାୟକ ହୋଇଥିଲେ । ଏହାପରେ ୨୦୦୦ ଓ ୨୦୦୪ରେ ମଧ୍ୟ ସେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ୨୦୦୦ ମସିହାରେ ମେଣ୍ଟ ସରକାର ସମୟରେ ମଧ୍ୟ ସେ ନଗର ଉନ୍ନୟନ ମନ୍ତ୍ରୀ ହୋଇଥିଲେ । ଏହାପରେ ୨୦୦୪ରେ ମସିହାରେ ଉଚ୍ଚଶିକ୍ଷା ମନ୍ତ୍ରୀ ହୋଇଥିଲେ । ସେ ଉଚ୍ଚ ଶିକ୍ଷା ମନ୍ତ୍ରୀ ଥିବା ବେଳେ ରେଭେନ୍ସା କଲେଜକୁ ବିଶ୍ୱବିଦ୍ୟାଳୟ ମାନ୍ୟତା ମିଳିଥିଲା । ସେ ବିଜେପିର ଜଣେ ଟାଣୁଆ ସଂଗଠକ ଥିଲେ । ଛାତ୍ର ଜୀବନରୁ ସେ ବହୁ ସାମାଜିକ ଅନୁଷ୍ଠାନ ଓ ସଂଗଠନ ସହ ଜଡ଼ିତ ଥିଲେ । ରାଜ୍ୟ ବିଜେପିର ଉପସଭାପତି ମଧ୍ୟ ଥିଲେ । ବିଭିନ୍ନ କ୍ରୀଡା ସଂଗଠନର ନେତୃତ୍ୱ ନେଇଥିଲେ । ଓଡ଼ିଶା ଅଲମ୍ପିକ୍ସ ଆସୋସିଏସନ୍ର ସଭାପତି ଥିଲେ । ତାଙ୍କ ବିୟୋଗରେ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି ।