ଟଙ୍କା ଫେରସ୍ତ ପାଇବେ ସାହାରା ଜମାକାରୀ
ସାହାରା ଇଣ୍ଡିଆର ଜମାକାରୀମାନଙ୍କୁ ଆଉ ୫ ହଜାର କୋଟି ଟଙ୍କା ଫେରସ୍ତ ମିଳିବ । କେନ୍ଦ୍ର ସରକାରଙ୍କ ଅନୁରୋଧକ୍ରମେ ସୁପ୍ରିମକୋର୍ଟ ଏ ସଂକ୍ରାନ୍ତରେ ନିର୍ଦ୍ଦେଶ ଦେଇଛନ୍ତି । ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ ନିକଟରେ ସାହାରା ଗ୍ରୁପ୍ ପକ୍ଷରୁ ଜମା କରାଯାଇଥିବା ପ୍ରାୟ ୨୫ ହଜାର କୋଟି ରାଶିରୁ ୫ ହଜାର କୋଟି ଟଙ୍କା ପ୍ରଦାନ କରାଯିବ । ଏନେଇ ବିଚାରପତି ସୂର୍ଯ୍ୟକାନ୍ତ ଓ ବିଚାରପତି ଜୟମାଲ୍ୟ ବାଗ୍ଚୀଙ୍କ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି । ସାହାରା ଗ୍ରୁପ୍ ଅଫ୍ କୋଅପରେଟିଭ୍ ସୋସାଇଟିର ଜମାକାରୀମାନଙ୍କୁ ଏହି ଅର୍ଥ ଫେରସ୍ତ କରାଯିବ । ଏହା ସାହାରା-ସେବି ରିଫଣ୍ଡ୍ ଖାତାରୁ କେନ୍ଦ୍ରୀୟ ସମବାୟ ସମିତି ନିବନ୍ଧକଙ୍କୁ ଦିଆଯିବ । ଆବଶ୍ୟକ ଯାଞ୍ଚ୍ ପରେ କେନ୍ଦ୍ରୀୟ ସମବାୟ ସମିତି ନିବନ୍ଧକ ଏହି ଅର୍ଥ ଜମାକାରୀମାନଙ୍କୁ ପ୍ରଦାନ କରିବେ । ସୁପ୍ରିମକୋର୍ଟର ୨୦୨୩ ମାର୍ଚ୍ଚ ଆଦେଶରେ ଦିଆଯାଇଥିବା ପ୍ରକ୍ରିୟା ଅନୁରୂପ ଏହା କରାଯିବ ।
