ଝିଅ ବାହାଘର ପାଇଁ ମିଳିବ ୫୧,୦୦୦ ଟଙ୍କା
ଆସିଲା ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ମାର୍ଗଦର୍ଶିକା । ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ଅଧୀନରେ, ପ୍ରତ୍ୟେକ ଯୋଗ୍ୟ କନ୍ୟାଙ୍କୁ ବିବାହରେ ସହଯୋଗ ଏବଂ ପରିବାରର ଆର୍ଥିକ ବୋଝ କମାଇବା ପାଇଁ ମିଳିବ ୫୧ ହଜାର ଟଙ୍କାର ଆର୍ଥିକ ସହୟତା । ଏହି ଯୋଜନା ରାଜ୍ୟର ସମସ୍ତ ଜିଲ୍ଲାରେ କାର୍ଯ୍ୟକାରୀ ହେବ। ୨୦୨୫-୨୬ ରୁ ୨୦୨୯-୩୦ ବର୍ଷ ପର୍ଯ୍ୟନ୍ତ ଯୋଜନା ଚାଲୁ ରହିବ। ଉପଲବ୍ଧ ବଜେଟ୍ ମଧ୍ୟରେ ଯୋଗ୍ୟତା ମାନଦଣ୍ଡ ପୂରଣ କରୁଥିବା ଦମ୍ପତିଙ୍କୁ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରାଯିବ। ତେବେ ହିତାଧିକାରୀଙ୍କ ଯୋଗ୍ୟତା ମାନଦଣ୍ଡ ବି ସ୍ଥିର କରିଛନ୍ତି ରାଜ୍ୟ ସରକାର । ମହିଳା ଓ ଶିଶୁ କଲ୍ୟାଣ ବିଭାଗ ପକ୍ଷରୁ ସବୁ ଜିଲ୍ଲାପାଳଙ୍କମାନଙ୍କୁ ଚିଠି ଲେଖି ଗାଇଡଲାଇନ ବାବଦରେ ଅବଗତ କରାଯାଇଛି ।
ହିତାଧିକାରୀଙ୍କ ଯୋଗ୍ୟତା ମାନଦଣ୍ଡ (Beneficiary Eligibility Criteria) :
ବର ଏବଂ କନ୍ୟା ଉଭୟ ଓଡ଼ିଶାର ସ୍ଥାୟୀ ବାସିନ୍ଦା ହୋଇଥିବା ଆବଶ୍ୟକ।
ବୟସ ସୀମା:
କନ୍ୟା: ୧୮ ରୁ ୩୫ ବର୍ଷ
ବର: ୨୧ ରୁ ୩୫ ବର୍ଷ
* ବର ଏବଂ କନ୍ୟା ପ୍ରଥମ ଥର ପାଇଁ ବିବାହ କରୁଥିବା ବ୍ୟକ୍ତି ହୋଇଥିବା ବାଞ୍ଛନୀୟ।
* ତଥାପି, ପୁନର୍ବିବାହ କରିବାକୁ ଚାହୁଁଥିବା ବିଧବା ମହିଳାମାନଙ୍କୁ ମଧ୍ୟ ଏହି ଯୋଜନାରେ ବିଚାର କରାଯିବ।
* ଗୋଟିଏ ପରିବାରରୁ କେବଳ ଜଣେ ଯୋଗ୍ୟ ମହିଳାଙ୍କୁ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରାଯିବ।
* ବର କିମ୍ବା କନ୍ୟା, ଅଥବା ସେମାନଙ୍କ ପରିବାର ରାଜ୍ୟ କିମ୍ବା କେନ୍ଦ୍ର ସରକାରଙ୍କ ଅନ୍ୟ କୌଣସି ବିବାହ ସହାୟତା ଯୋଜନାରୁ ଲାଭ ପାଇ ନଥିବା ଆବଶ୍ୟକ।
ହିତାଧିକାରୀ ଚୟନରେ ଅଗ୍ରାଧିକାର (Prioritization of Beneficiaries)
ଆବେଦନଗୁଡିକ ‘ପ୍ରଥମେ ଆସ, ପ୍ରଥମେ ପାଅ’ (First-come, first-serve) ଭିତ୍ତିରେ ବିଚାର କରାଯିବ। ଯଦି କୌଣସି ଜିଲ୍ଲାରେ ଧାର୍ଯ୍ୟ ଲକ୍ଷ୍ୟଠାରୁ ଆବେଦନ ସଂଖ୍ୟା ଅଧିକ ହୁଏ, ତେବେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସାମାଜିକ ସୁରକ୍ଷା ଯୋଜନାରୁ ସହାୟତା ପାଉଥିବା ପରିବାରଗୁଡିକୁ ନିମ୍ନଲିଖିତ କ୍ରମରେ ଅଗ୍ରାଧିକାର ଦିଆଯିବ:
ବିଧବା (Widows)
ଭିନ୍ନକ୍ଷମ ବ୍ୟକ୍ତି (PwDs)
ବିଶେଷ ଭାବରେ ଦୁର୍ବଳ ଜନଜାତି ଗୋଷ୍ଠୀ (PVTGs), ଅନୁସୂଚିତ ଜନଜାତି (ST), ଅନୁସୂଚିତ ଜାତି (SC)
ସ୍ୱଳ୍ପ ଆୟକାରୀ ପରିବାରରୁ ଆସିଥିବା ଆବେଦନକାରୀ।
ଯୋଜନା ଅଧୀନରେ ମିଳିବାକୁ ଥିବା ସୁବିଧା (Benefits under the Scheme)
ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ଅଧୀନରେ, ପ୍ରତ୍ୟେକ ଯୋଗ୍ୟ କନ୍ୟାଙ୍କୁ ବିବାହରେ ସହଯୋଗ ଏବଂ ପରିବାରର ଆର୍ଥିକ ବୋଝ କମାଇବା ପାଇଁ ମୋଟ ₹୫୧,୦୦୦/- ର ଆର୍ଥିକ ସହାୟତା ପ୍ରଦାନ କରାଯିବ।
₹୫୧,୦୦୦/- ଟଙ୍କାର ବିବରଣୀ:
ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର (DBT) — ₹୩୫,୦୦୦/-
ବିବାହ ପଞ୍ଜୀକରଣର ୭ କାର୍ଯ୍ୟ ଦିବସ ମଧ୍ୟରେ ସିଧାସଳଖ କନ୍ୟାଙ୍କ ବ୍ୟାଙ୍କ ଖାତାକୁ ପଠାଯିବ।
ବିବାହ ଉପହାର ସାମଗ୍ରୀ — ₹୧୦,୦୦୦/-
ପାରମ୍ପରିକ ସାମଗ୍ରୀ ଯେପରିକି ଗୋଟିଏ ବିବାହ ଶାଢୀ, ଚୁଡ଼ି, ବିନ୍ଦି, ପାଉଁଜି, ଝୁଣ୍ଟିଆ, ବାସନକୁସନ ଇତ୍ୟାଦି। ଏହା ‘ଉତ୍କଳିକା’ (ଓଡ଼ିଶା ରାଜ୍ୟ ହସ୍ତତନ୍ତ ସମବାୟ ସମିତି)ରୁ କିଣାଯିବ ଏବଂ ଉପଯୁକ୍ତ ଭାବେ ପ୍ୟାକ୍ କରାଯିବ।
ଇଭେଣ୍ଟ ମ୍ୟାନେଜମେଣ୍ଟ (NGO/ଏଜେନ୍ସି ଦ୍ୱାରା) — ₹୬,୦୦୦/-
ସାଜସଜ୍ଜା, ଜଳଖିଆ, ବସିବା ବ୍ୟବସ୍ଥା ଏବଂ ସରକାରୀ ସମନ୍ୱୟ ପାଇଁ।
ଏହି ବିବାହଗୁଡିକ ଅଭିଜ୍ଞତା ଥିବା ସ୍ଥାନୀୟ NGO/CBO/ସୋସାଇଟି/ଟ୍ରଷ୍ଟ ସହାୟତାରେ ଗଣ/ସାମୁହିକ ବିବାହ ରୂପେ ଆୟୋଜିତ ହେବ।
କାର୍ଯ୍ୟକାରୀ ସଂସ୍ଥା (Implementing Agencies) ଯୋଗ୍ୟ ହିତାଧିକାରୀ ଚିହ୍ନଟ କରିବେ, ଦସ୍ତାବିଜ ଯାଞ୍ଚ କରିବେ ଏବଂ ଜିଲ୍ଲା ସ୍ତରୀୟ କମିଟି (ଯାହା ସୁଭଦ୍ରା ଯୋଜନା ଅଧୀନରେ ଗଠିତ ହୋଇଛି) ନିକଟରେ ଅନୁମୋଦନ ପାଇଁ ଦାଖଲ କରିବେ।
ମର୍ଯ୍ୟାଦାପୂର୍ଣ୍ଣ ଭାବରେ ବିବାହ ସମାରୋହ ଆୟୋଜନ ଉପରେ ଗୁରୁତ୍ୱ ଦିଆଯିବ।
