ଶ୍ରୀମନ୍ଦିରରେ ଶ୍ରୀଦେବୀ ପାଳନ କରନ୍ତି ଋଷି ପଞ୍ଚମୀ ବ୍ରତ

ଶ୍ରୀମନ୍ଦିରରେ ଋଷି ପଞ୍ଚମୀ ବ୍ରତ

ଶ୍ରୀମନ୍ଦିର ରେ ଭାଦ୍ରବ ଶୁକ୍ଳ ପଞ୍ଚମୀରେ ଏକ ବିଶେଷ ନୀତି ପାଳନ କରାଯାଏ । ଏହାକୁ ଋଷି ପଞ୍ଚମୀ ବ୍ରତ ବୋଲି କୁହାଯାଏ। ଏହି ବ୍ରତ ସ୍ୱୟଂ ମାଆ ଶ୍ରୀଦେବୀ ପାଳନ କରିଥାନ୍ତି । ଏକ ଉପାଖ୍ୟାନରୁ ଜଣାଯାଏ ଯେ ସ୍ତ୍ରୀଲୋକମାନେ ରଜସ୍ୱଳା ହେବା ପରେ ନିଜର ଅଜ୍ଞାତରେ ଯଦି କିଛି ଦୋଷ କରିଦେଇଥାନ୍ତି ତେବେ ସେଥିରୁ ମୁକ୍ତି ହେବା ପାଇଁ ନିର୍ଦ୍ଧିଷ୍ଟ ସପ୍ତ ଋଷିଙ୍କୁ ପୂଜାର୍ଚ୍ଚନା କରିଥାନ୍ତି । ଏହି ଦିନ ସକାଳ ଧୂପ ବଢ଼ିବା ପରେ ପୂଜାପଣ୍ଡା ଆଜ୍ଞାମାଳ ଦେବାରେ ମହାଜନ ସେବକ ଶ୍ରୀଦେବୀଙ୍କୁ ସିଂହାସନ ରୁ ବିଜେ କରାଇ ମୁକ୍ତିମଣ୍ଡପ ତଳେ ଥିବା ପାଲିଙ୍କିରେ ବିଜେ କରନ୍ତି ଏବଂ ତତ୍ପରେ ଶ୍ରୀଦେବୀ ମାର୍କଣ୍ଡେୟ ମହାଦେବ ମନ୍ଦିର କୁ ବିଜେ କରିଥାନ୍ତି । ସେଠାରେ ଶ୍ରୀଦେବୀଙ୍କ ମାଜଣା କରାଯାଏ ଓ ପରେ ପୂଜାପଣ୍ଡା ବରୁଣ ପୂଜା ଆଦି କରି ସପ୍ତ ଋଷିଙ୍କୁ ନୈବେଦ୍ୟ ସମର୍ପଣ କରନ୍ତି । ଏହାପରେ ପୂଜାପଣ୍ଡା ବ୍ରତକଥା ପଠନ କରନ୍ତି।ବ୍ରତ କଥା ଶେଷ ହେବାପରେ ବନ୍ଦାପନା ହୋଇ ଶ୍ରୀଦେବୀ ପ୍ରତ୍ୟବର୍ତ୍ତନ କରିଥାନ୍ତି ଓ ଏହାପରେ ମଧ୍ୟାହ୍ନ ଧୂପ ହୋଇଥାଏ। ଏହି ବ୍ରତରେ ଋଷି ମାନଙ୍କୁ କ୍ଷୀର , କଦଳୀ ଓ ଫଳ ଭୋଗ ହୋଇଥାଏ।