ଦେଶରେ ଅଶୋଧିତ ତୈଳ ଏବଂ ପ୍ରାକୃତିକ ଗ୍ୟାସର ସ୍ଥିତି ସମୀକ୍ଷା
ପଶ୍ଚିମ ଏସିଆ ସ୍ଥିତି ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ କମିଟି ବୈଠକ । ପଶ୍ଚିମ ଏସିଆରେ ବଢି ଚାଲିଥିବା ଉତ୍ତେଜନା ଏବଂ ଭାରତ ଉପରେ ଏହାର ପ୍ରଭାବକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଦେଶରେ ଅଶୋଧିତ ତୈଳ ଏବଂ ପ୍ରାକୃତିକ ଗ୍ୟାସର ସ୍ଥିତି ସମୀକ୍ଷା କରାଯାଇଛି । ଭାରତ ପାଖରେ ପ୍ରାୟ ୫୩ ଲକ୍ଷ ମେଟ୍ରିକ ଟନ ପେଟ୍ରୋଲିୟମ ରିଜର୍ଭ ଥିବା ସରକାର ସୁନିଶ୍ଚିତ କରିଛନ୍ତି । ସେହିପରି ଆଗାମୀ ଖରିଫ ଋତୁ ପାଇଁ ସାର ଏବଂ ବିଦ୍ୟୁତ ଉତ୍ପାଦନ ପାଇଁ କୋଇଲା ମହଜୁଦ ରଖିବା ଉପରେ ଗୁରୁତ୍ୱ ଦିଆଯାଇଛି ।ଏହାସହିତ କଳାବଜାରୀ ରୋକିବାକୁ ରାଜ୍ୟ ସରକାରମାନଙ୍କ ସହ ସମନ୍ୱୟ ରକ୍ଷା କରିବାକୁ ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଗଲ୍ଫ ଦେଶଗୁଡ଼ିକରେ ରହୁଥିବା ପ୍ରାୟ ୧ କୋଟି ଭାରତୀୟଙ୍କ ସୁରକ୍ଷାକୁ ନେଇ କମିଟିରେ ଆଲୋଚନା ହୋଇଛି । ପ୍ରବାସୀ ଭାରତୀୟଙ୍କ ସହ ଯୋଗାଯୋଗରେ ରହିବା ସହ ସେମାନଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି । କୃଷି, ପରିବହନ ଏବଂ ଅର୍ଥ ମନ୍ତ୍ରଣାଳୟକୁ ନେଇ ଏକ ସ୍ୱତନ୍ତ୍ର ଦଳ ଗଠନ ହୋଇଛି । ଏହି ସ୍ୱତନ୍ତ୍ର ଦଳ ସଙ୍କଟ ବେଳେ ଯୋଗାଣ ସ୍ୱାଭାବିକ କରିବାକୁ ଗୁରୁତ୍ୱ ଦେବ । ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଗୃହମନ୍ତ୍ରୀ ଅମିତ ଶାହ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ପ୍ରମୁଖ ଉପସ୍ଥିତ ଥିଲେ ।
