ଓଏଏସ୍ ଅଫିସର ସ୍ତରରେ ଅଦଳବଦଳ

୫ଟି ଜିଲ୍ଲାରେ ନୂଆ ଅତିରିକ୍ତ ଜିଲ୍ଲାପାଳଙ୍କ ନିଯୁକ୍ତ

ରାଜ୍ୟ ସରକାର ଓଏଏସ୍ ଅଫିସର ସ୍ତରରେ ଅଦଳବଦଳ କରିଛନ୍ତି । ୫ଟି ଜିଲ୍ଲାରେ ନୂଆ ଅତିରିକ୍ତ ଜିଲ୍ଲାପାଳଙ୍କ ନିଯୁକ୍ତି ସମେତ ମୋଟ ୧୦ଜଣ ବରିଷ୍ଠ ଓଏଏସ୍ ଅଫିସରଙ୍କ ବଦଳି ହୋଇଛି । ବରଗଡ଼,ମୟୂରଭଞ୍ଜ, କନ୍ଧମାଳ, ସୁନ୍ଦରଗଡ଼ ଓ ନୂଆପଡ଼ା ଜିଲ୍ଲାରେ ନୂଆ ଅତିରିକ୍ତ ଜିଲ୍ଲାପାଳଙ୍କୁ ନିଯୁକ୍ତି ମିଳିଛି । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ନୂଆପଡ଼ା ଅତିରିକ୍ତ ଜିଲ୍ଲାପାଳ ତଥା ବରିଷ୍ଠ ଓଏଏସ୍ ଅଫିସର ଅଗସ୍ତି ପ୍ରଧାନଙ୍କୁ ଦକ୍ଷିଣାଂଚଳ ଆରଡିସି କାର୍ଯ୍ୟାଳୟରେ ବନ୍ଦୋବସ୍ତ ଓ ଚକବନ୍ଦୀ ଅତିରିକ୍ତ କମିଶନର ଭାବେ ବଦଳି କରାଯାଇଛି। ସେହିପରି ରେଢ଼ାଖୋଲ ଉପଜିଲ୍ଲାପାଳ ପବିତ୍ର ବେହେରାଙ୍କୁ ବରଗଡ଼ ଅତିରିକ୍ତ ଜିଲ୍ଲାପାଳ ଭାବେ ଅବସ୍ଥାପିତ କରାଯାଇଛି । ସୁନ୍ଦରଗଡ଼ ଅତିରିକ୍ତ ଜିଲ୍ଲାପାଳ ଅଭିମନ୍ୟୁ ବେହେରା(କ)ଙ୍କୁ ମୟୂରଭଞ୍ଜ ଅତିରିକ୍ତ ଜିଲ୍ଲାପାଳ, ବୀରମହାରାଜପୁର ଉପଜିଲ୍ଲାପାଳ ଅଶୋକ କୁମାର ଭୋଇଙ୍କୁ କନ୍ଧମାଳ ଅତିରିକ୍ତ ଜିଲ୍ଲାପାଳ, ରାଉରକେଲା ଉପଜିଲ୍ଲାପାଳ ଅଭିମନ୍ୟୁ ମାଝୀଙ୍କୁ ସୁନ୍ଦରଗଡ଼ ଅତିରିକ୍ତ ଜିଲ୍ଲାପାଳ ଓ ରାୟଗଡ଼ା ଉପଜିଲ୍ଲାପାଳ ଭୀମସେନ ଶବରଙ୍କୁ ନୂଆପଡ଼ା ଅତିରିକ୍ତ ଜିଲ୍ଲାପାଳ ଭାବେ ବଦଳି କରାଯାଇଛି।