ଆଜିଠୁ ଦିଲ୍ଲୀରେ ବିଜେପି ସରକାର

ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ରେଖା ଗୁପ୍ତା

ଆଜିଠୁ ଦିଲ୍ଲୀରେ ରେଖା ସରକାର । ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ରେଖା ଗୁପ୍ତା । ରାମଲୀଲା ମୈଦାନରେ ଭବ୍ୟ ଶପଥ ଗ୍ରହଣ ସମାରୋହ । ଦିନ ୧୧ଟାରେ ଆରମ୍ଭ ହେବ ଶପଥ ଗ୍ରହଣ ସମାରୋହ । ଆଜି ରେଖା ଗୁପ୍ତାଙ୍କ ସହ ଦିଲ୍ଲୀ କ୍ୟାବିନେଟର ୬ ଜଣ ମନ୍ତ୍ରୀ ଶପଥ ନେବାକୁ ଯାଉଛନ୍ତି । ସେମାନଙ୍କ ମଧ୍ୟରେ ରହିଛନ୍ତି ପ୍ରବେଶ ବର୍ମା, ଆଶୀଷ ସୁଦ, ସରଦାର ମଞ୍ଜିଦର ସିଂ ସିରସା, ରବିନ୍ଦ୍ର ସିଂ, କପିଲ ମିଶ୍ରା ଓ ପଙ୍କଜ କୁମାର ସିଂ । ଦିଲ୍ଲୀର ଚତୁର୍ଥ ମହିଳା ମୁଖ୍ୟମନ୍ତ୍ରୀ ଭାବେ ରେଖା ଗୁପ୍ତା ଶପଥ ନେବେ । ସେ ଦିଲ୍ଲୀର ସାଲିମାର ବାଗ ବିଧାନସଭାରୁ ପ୍ରଥମ ଥର ବିଧାୟକ ଭାବେ ବିଜୟୀ ହୋଇଥିଲେ । ଶପଥଗ୍ରହଣ ପୂର୍ବରୁ ବୁଧବାର ରାତିରେ ରେଖା ଗୁପ୍ତା ଦିଲ୍ଲୀର ଉପ ରାଜ୍ୟପାଳ ଭି.କେ ସକସେନାଙ୍କୁ ଭେଟି ସରକାର ଗଠନ କରିବାକୁ ଦାବି କରିଥିଲେ । ଏହା ପୂର୍ବରୁ ସନ୍ଧ୍ୟାରେ ଦିଲ୍ଲୀ ବିଜେପି ବିଧାୟକଦଳ ବୈଠକରେ ମୁଖ୍ୟମନ୍ତ୍ରୀ ଭାବେ ରେଖା ଗୁପ୍ତାଙ୍କ ନାମ ଉପରେ ମୋହର ବାଜିଥିଲା । ରେଖା ଗୁପ୍ତାଙ୍କ କ୍ୟାରିୟର ବାବଦରେ କହିବାକୁ ଗଲେ ସେ ୧୯୯୨ ମସିହାରେ ଛାତ୍ର ରାଜନୀତିରୁ ନିଜୟ ରାଜନୈତିକ ଜୀବନ ଆରମ୍ଭ କରିଥିଲେ । ସେ ବିଜେପି ସହ ଅନୁବନ୍ଧିତ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପ୍ରାର୍ଥୀ ଭାବେ ୧୯୯୬-୯୭ ରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଛାତ୍ର ସଂଘର ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲେ । ଏହାପରେ ସେ ୨୦୦୭ ରେ ଉତ୍ତର ପୀତମପୁରାରୁ କର୍ପୋରେଟର ଭାବେ ନିର୍ବାଚିତ ହୋଇଥିଲେ । ସେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଜଣେ ସକ୍ରିୟ ସଦସ୍ୟ ଅଟନ୍ତି ।