ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ରେଖା ଗୁପ୍ତା
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ରେଖା ଗୁପ୍ତା। ରେଖାଙ୍କ ସହ ଅନ୍ୟ ୫ ଜଣ ମନ୍ତ୍ରୀ ମଧ୍ୟ ଶପଥ ନେଇଛନ୍ତି। ପରବେଶ ସାହିବ ସିଂ ବର୍ମା ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ସେହିପରି ଆଶିଷ ସୁଦ, ମନଜିନ୍ଦର ସିଂ ଶୀର୍ଷା, ରବୀନ୍ଦର ଇନ୍ଦ୍ରଜ ସିଂ, କପିଲ ମିଶ୍ରା ଓ ପଙ୍କଜ କୁମାର ସିଂ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଶପଥ ଗ୍ରହଣ ଉତ୍ସବ ପୂର୍ବରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ ସମେତ ମନ୍ତ୍ରୀ ଭାବେ ଶପଥ ନେବାକୁ ଥିବା ବିଧାୟକମାନେ ମନ୍ଦିର ଯାଇ ପୂଜାର୍ଚ୍ଚନା କରିଥିଲେ। ମନ୍ତ୍ରୀ ଭାବେ ଶପଥ ନେବାକୁ ଥିବା କପିଲ ମିଶ୍ରା ଦିଲ୍ଲୀର ଝଣ୍ଡେୱାଲା ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ। ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ,ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ,ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ସମେତ ଅନେକ କେନ୍ଦ୍ରମନ୍ତ୍ରୀ, ବିଜେପିର ଶୀର୍ଷ କେନ୍ଦ୍ରୀୟ ନେତୃତ୍ବ ଏବଂ NDA ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ଯୋଗ ଦେଇଥିଲେ। ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ ୨୦ରାଜ୍ୟର ମୁଖ୍ୟମନ୍ତ୍ରୀ ଶପଥ ସମାରୋହରେ ସାମିଲ ହୋଇଛନ୍ତି। ଏଥିସହ ବିଶିଷ୍ଟ ଉଦ୍ୟୋଗପତି, ସାଧୁସନ୍ଥ, ସେଲିବ୍ରିଟିଙ୍କ ସମେତ ବହୁ ଭିଆଇପି ଅତିଥି ଶପଥ ସମାରୋହରେ ଯୋଗ ଦେଇଥିଲେ।
