ଆଜିଠୁ ୨୫ ଯାଏଁ ବାଲିଯାତ୍ରା ପାଇଁ ଚାଲିବ ପଞ୍ଜିକରଣ
ନଭେମ୍ବର ୧୫ ତାରିଖରୁ ବାଲିଯାତ୍ରା ଆରମ୍ଭ ହେବାକୁ ଥିବା ବେଳେ ଆଜିଠାରୁ ପ୍ଲଟ ପଞ୍ଜିକରଣ ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ଅକ୍ଟୋବର ୧୫ ତାରିଖରୁ ୨୫ ତାରିଖରେ ଯାଏଁ ଚାଲିବ ପଞ୍ଜିକରଣ ପ୍ରକ୍ରିୟା । ଅନଲାଇନ ମାଧ୍ୟମରେ ପ୍ଲଟ ପଞ୍ଜିକରଣ ହେଉଥିବା ବେଳେ ବ୍ୟବସାୟୀମାନେ ୫ ହଜାର ଟଙ୍କା ଦେଇ ପଞ୍ଜିକରଣ କରିପାରିବେ । କଟକ ବାରବାଟୀ ପ୍ୟାଲେସରେ ଚାଲିଛି ଏହି ପଞ୍ଜିକରଣ ପ୍ରକ୍ରିୟା । ତେବେ ୨୫ ତାରିଖରେ ପଞ୍ଜିତକଣ ପ୍ରକ୍ରିୟା ଶେଷ ହେଉଥିବା ବେଳେ ୨୭ ତାରିଖରୁ ନିଲାମ ପ୍ରକ୍ରିୟା ଆରମ୍ଭ ହେବ । ତେବେ ଚଳିତ ବର୍ଷ ବାଲିଯାତ୍ରାକୁ ସୁରକ୍ଷିତ ଏବଂ ଆକର୍ଷଣୀୟ କରିବା ପାଇଁ ଲକ୍ଷ୍ୟ ରଖିଛି କଟକ ପ୍ରଶାସନ । ବାଲିଯାତ୍ରାକୁ ଶୃଙ୍ଖଳିତ ଭାବେ ସମାପନ କରିବା ପାଇଁ ଅଣ୍ଟା ଭିଡିଛି କଟକ ଜିଲ୍ଲା ପ୍ରଶାସନ । ତାରିଖ ଘୋଷଣା ହୋଇଥିଲେ ହେଁ ଏହା କେତେଦିନ ପର୍ଯ୍ୟନ୍ତ ଚାଲିବ ସେନେଇ ଘୋଷଣା କରାଯାଇ ନାହିଁ । ପରବର୍ତ୍ତି ବୈଠକରେ ସେନେଇ ଘୋଷଣା ହେବ ବୋଲି ଅନୁମାନ କରାଯାଉଛି । ଟଏଲେଟ ବ୍ୟବସ୍ଥା, ଟ୍ରାଫିକ ପରିଚାଳନା ସହିତ ସୁରକ୍ଷିତ ବାଲିଯାତ୍ରା ହେବ ବୋଲି ଜିଲ୍ଲାପାଳ ଘୋଷଣା କରିଥିଲେ ।
