୧୬ ପର୍ଯ୍ୟନ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ
ଆଜିଠାରୁ ୧୬ ପର୍ଯ୍ୟନ୍ତ ସରକାରୀ କର୍ମଚାରୀଙ୍କୁ ମୁଖ୍ୟାଳୟ ଛାଡ଼ିବା ମନା । କେହି ମୁଖ୍ୟାଳୟ ଛାଡ଼ି ଯାଇପାରିବେନି ବୋଲି ନିର୍ଦ୍ଦେଶ । ଦରକାର ପଡ଼ିଲେ ସର୍ଟ ନୋଟିସ୍ରେ ଅଫିସ୍କୁ ଆସିବାକୁ ପଡ଼ିବ । ଶନିବାର, ରବିବାର ଓ ସୋମବାର ଛୁଟି ପଡ଼ୁଥିବାରୁ କଟକଣା । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ହେଲା ନିର୍ଦ୍ଦେଶନାମା । ୧୭ରେ ପ୍ରଧାନମନ୍ତ୍ରୀ ଓଡ଼ିଶା ଆସିବାର କାର୍ଯ୍ୟସୂଚୀ ଚୂଡ଼ାନ୍ତ ହୋଇଛି । ରାଜ୍ୟ ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ସଚିବ ଘାସିରାମ ମୁର୍ମୁ ସମସ୍ତ ବିଭାଗର ସଚିବ ଓ ବିଭାଗୀୟ ମୁଖ୍ୟଙ୍କୁ ଚିଠି ଲେଖି ସରକାରୀ ଅଫିସରମାନଙ୍କର ହେଡକ୍ୱାର୍ଟରରେ ଅନୁପସ୍ଥିତ ରହିବା ଉପରେ କଟକଣା ଜାରି କରିଛନ୍ତି । ସରକାରୀ ଛୁଟିଦିନ ଅର୍ଥାତ୍ ସେପ୍ଟେମ୍ବର ୧୪ରୁ ୧୬ତାରିଖ ପର୍ଯ୍ୟନ୍ତ ପ୍ରଶାସନିକ ଆବଶ୍ୟକତାକୁ ଦୃଷ୍ଟିରେ ରଖି କୌଣସି ସରକାରୀ ଅଫିସରଙ୍କୁ ହେଡକ୍ୱାର୍ଟର ଛାଡ଼ିବାକୁ ଅନୁମତି ଦିଆଯାଇପାରିବ ନାହିଁ । ଏନେଇ ଆବଶ୍ୟକ ନିର୍ଦ୍ଦେଶନାମା ସମସ୍ତ ଅଫିସରମାନଙ୍କୁ ଜାରି କରିବା ପାଇଁ ସାଧାରଣ ପ୍ରଶାସନ ବିଭାଗ ପରାମର୍ଶ ଦେଇଛି । ସାଧାରଣ ପ୍ରଶାସନ ବିଭାଗର ଏହି ଚିଠି ପରେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ପକ୍ଷରୁ ମଧ୍ୟ ସ୍ୱତନ୍ତ୍ର ନିର୍ଦ୍ଦେଶନାମା ଜାରି ହୋଇଛି । ୧୭ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସେପ୍ଟେମ୍ବର ୧୪ରୁ ୧୬ତାରିଖ(ସରକାରୀ ଛୁଟିଦିନରେ) ଅଫିସ୍ ଖୋଲା ରହିବ ବୋଲି ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି ।